
ମେଲବୋର୍ନ : ଅଷ୍ଟ୍ରେଲିଆର ଷ୍ଟାର ଓପନର ଡେଭିଡ୍ ଓ୍ୱାର୍ନର ଖୁବଶୀଘ୍ର ଡିସେମ୍ବରରେ ବିଗ୍ ବାଶ୍ ଲିଗ୍ (ବିବିଏଲ୍)ରେ ଅଧିନାୟକ ପଦ ଫେରିପାରନ୍ତି। ଦେଶର କ୍ରିକେଟ ବୋର୍ଡ ଆଚରଣବିଧିରେ ସମୀକ୍ଷା କରିବା ଲାଗି ବିଚାର କରୁଥିବା ଜଣାପଡ଼ିବା ପରେ ଏହି ସମ୍ଭାବନା ଦେଖା ଦେଇଛି। ବର୍ତ୍ତମାନ ପ୍ରଚଳିତ ନିୟମାନୁସାରେ ଜଣେ ଖେଳାଳି ଦଣ୍ଡବିଧାନକୁ ଗ୍ରହଣ କରିନେବା ମାନେ ଏହାକୁ ସମ୍ପୂର୍ଣ୍ଣ ପାଳନ କରିବା ବାଧ୍ୟତାମୂଳକ। ୨୦୧୮ରେ ବଲ୍ ଟାମ୍ପରିଂ ସ୍କାଣ୍ଡାଲରେ ସମ୍ପୃକ୍ତି ଥିବା ଅଭିଯୋଗରେ ଓ୍ୱାର୍ନର ଅଧିନାୟକତ୍ୱରୁ ଆଜୀବନ ବାସନ୍ଦ ହୋଇଥିଲେ। ମାତ୍ର କ୍ରିକେଟ ଅଷ୍ଟ୍ରେଲିଆ ଏହାର ଆଚରଣ ବିଧିରେ ସଂଶୋଧନ ଆଣିବାକୁ ବିଚାର କରୁଛି। ଯାହାଫଳରେ ଓ୍ୱାର୍ନର ବିବିଏଲ୍ରେ ସିଡ୍ନୀ ଥଣ୍ଡର କିମ୍ବା ଭବିଷ୍ୟତରେ ଅଷ୍ଟ୍ରେଲିଆ ଦଳର ଅଧିନାୟକତ୍ୱ କରିପାରିବେ। କ୍ରିକେଟ ଅଷ୍ଟ୍ରେଲିଆର ବୋର୍ଡ ବୈଠକ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦୀର୍ଘମିଆଦୀ ଦଣ୍ଡ ବ୍ୟବସ୍ଥାରେ କିଛିଟା ପରିବର୍ତ୍ତନ କରିବା ସମ୍ପର୍କରେ ଆଲୋଚନା କରାଯାଇଛି। ଆଚରଣ ବିଧି ସଂଶୋଧନ କରାଗଲେ ସମ୍ପୃକ୍ତ ଖେଳାଳିଙ୍କୁ ଦଣ୍ଡ ହ୍ରାସ ପାଇଁ ନିବେଦନ କରିବାକୁ ହେବ। ତାହା ଗ୍ରହଣଯୋଗ୍ୟ ହେଲେ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଖେଳାଳିଙ୍କ କାର୍ଯ୍ୟକଳାପ ଉପରେ ନଜର ରଖାଯିବ। ସନ୍ତୋଷଜନକ ମନେହେଲେ ଦଣ୍ଡ କୋହଳ କରାଯାଇପାରେ ।