ଖେଳଜୀବନଚର୍ଯ୍ୟାମୁଖ୍ୟ ଖବର

ମ୍ୟାଚ୍ ବେଳେ ଆମେରିକା ସାମ୍ବାଦିକ ଗ୍ରାଣ୍ଟ ୱାହଲଙ୍କ ପରଲୋକ

ଦୋହା: କତାରରେ ଚାଲିଥିବା ଫିଫା ଫୁଟବଲ ବିଶ୍ୱକପରେ ଘଟିଛି ଅଘଟଣ। ଆର୍ଜେଣ୍ଟିନା ଓ ନେଦରଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍‌କୁ କଭର କରୁଥିବା ବେଳେ ଆମେରିକା ସାମ୍ବାଦିକ ଗ୍ରାଣ୍ଟ ୱାହଲଙ୍କ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନି। କିନ୍ତୁ ଗ୍ରାଣ୍ଟଙ୍କ ଭାଇ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିସହ ସେ ହତ୍ୟା ଅଭିଯୋଗ ମଧ୍ୟ ଆଣିଛନ୍ତି।

ବିଶ୍ୱକପ ମ୍ୟାଚ୍‌ ପାଇଁ ଗ୍ରାଣ୍ଟ କତାର ଯାଇଥିଲେ। ସେଠାରେ ସେ ସମଲିଙ୍ଗୀଙ୍କୁ ସମର୍ଥନ ଜଣାଇ ରେନବୋ ଶାର୍ଟ ପିନ୍ଧିଥିବାରୁ କତାର ପୁଲିସ ତାଙ୍କୁ କିଛି ଦିନ ତଳେ ଅଟକ ରଖିଥିଲା। ଏହାକୁ ନେଇ ବିବାଦ ସୃଷ୍ଟି ହେବା ପରେ ସେ ପୁଲିସ୍‌ କବଳରୁ ମୁକୁଳି ଥିଲେ। ହେଲେ ଏବେ ହଠାତ୍‌ ତାଙ୍କର ମୃତ୍ୟୁ ଘଟିବାର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

୪୮ ବର୍ଷୀୟ ଗ୍ରାଣ୍ଟଙ୍କ ଭାଇ ଏରିକ ଅଭିଯୋଗ କରିଛନ୍ତି ଯେ, ଏହି ମୃତ୍ୟୁ ପଛରେ କତାର ସରକାରଙ୍କ ହାତ ରହିଛି। ସେ କହିଛନ୍ତି, “ମୋ ନାଁ ଏରିକ ୱାହଲ। ମୁଁ ୱାଶିଂଟନରେ ରୁହେ। ମୋ ଭାଇ ହେଉଛନ୍ତି ଗ୍ରାଣ୍ଟ ୱାହଲ। ମୁଁ ଜଣେ ଗେ। ବିଶ୍ୱକପରେ ସେ ରେନବୋ ଶାର୍ଟ ପିନ୍ଧିବାର କାରଣ ହେଉଛି ମୁଁ। ମୋ ଭାଇ ସଂପୂର୍ଣ୍ଣ ସୁସ୍ଥ ଥିଲେ। ସେ ମୋତେ କହିଥିଲେ ଯେ, ତାଙ୍କୁ ନିୟମିତ ହତ୍ୟା ଧମକ ମିଳୁଛି। ମୋ ଭାଇ ଏବେ ପ୍ରାଣ ହରାଇଥିବା ମୁଁ ବିଶ୍ୱାସ କରିପାରୁନି। ମୋର ବିଶ୍ୱାସ ତାଙ୍କୁ ହତ୍ୟା କରାଯାଇଛି। ତେଣୁ ମୁଁ ସହଯୋଗ ପାଇଁ ନିବେଦନ କରୁଛି।

ବିଶ୍ୱକପ ଆରମ୍ଭରୁ ଗ୍ରାଣ୍ଟ ଅଭିଯୋଗ କରିଥିଲେ ଯେ ଆମେରିକା ଓ ୱେଲ୍ସ ବିପକ୍ଷ ମ୍ୟାଚ୍‌ର ରିପୋର୍ଟିଂ ପାଇଁ ସୁରକ୍ଷାକର୍ମୀମାନେ ତାଙ୍କୁ ଭିତରକୁ ଛାଡ଼ୁ ନାହାନ୍ତି। ଏଥିସହ ତାଙ୍କୁ ରେନବୋ ଶାର୍ଟ ଖୋଲିବାକୁ କୁହାଯାଉଛି। ସୁରକ୍ଷାକର୍ମୀ ତାଙ୍କ ଫୋନ ମଧ୍ୟ ନେଇ ଯାଇଥିବା ସେ ଟ୍ୱିଟ କରଥିଲେ।

ଏହାର କିଛି ସମୟ ପରେ ସେ ପୁଣି କହିଥିଲେ ଯେ, ଷ୍ଟାଡିୟମ କର୍ତ୍ତୃପକ୍ଷ ତାଙ୍କ ପାଖକୁ ଆସି କ୍ଷମା ମାଗିଥିଲେ ଓ ଷ୍ଟାଡିୟମ ଭିତରକୁ ଛାଡ଼ିଥିଲେ। ଫିଫା ପକ୍ଷରୁ ମଧ୍ୟ ତାଙ୍କୁ କ୍ଷମା ମଗାଯାଇଥିଲା। ଆମେରିକା ସରକାର ଓ ଗ୍ରାଣ୍ଟଙ୍କ ପତ୍ନୀ ତାଙ୍କ ମୃତ୍ୟୁ ଖବର ପାଇ ସ୍ତବ୍ଧ ହୋଇଯାଇଛନ୍ତି। ଆମେରିକା ପ୍ରଶାସନ ଗ୍ରାଣ୍ଟଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ଉଦ୍ୟମ କରାଯାଉଥିବା କହିଛି।

Show More

Related Articles

Back to top button