
ଗତକାଲି ମହାନଦୀ ବ୍ରିଜ୍ରୁ ଡେଇଁ ନିଖୋଜ ଥିବା ଲ୍ୟାବ୍ ଆସିଷ୍ଟାଣ୍ଟ ଦେବାଶିଷ ଦାସଙ୍କ ମୃତଦେହ ଉଦ୍ଧାର । କଟକ ଜିଲ୍ଲା କିଷନନଗର ଥାନା ସିର୍ଲୋ ବ୍ରାହ୍ମଣଖଣ୍ଡ ମହାନଦୀ ପଠାରୁ ତାଙ୍କ ମୃତଦେହ ମିଳିଥିବା ସାଲେପୁର ଏସ୍ଡିପିଓ ପ୍ରଶାନ୍ତ କୁମାର ମାଝୀ ସୂଚନା ଦେଇଛନ୍ତି । ମୃତକଙ୍କ ପରିବାର ଲୋକେ ଆସି ଶବ ଚିହ୍ନଟ କରିଥିବା ସେ କହିଛନ୍ତି ।
କଟକ ଚାଉଳିଆଗଞ୍ଜର ଦେବାଶିଷ ଦାସ ଭୁବନେଶ୍ୱରରେ ଏକ କଲେଜରେ ଲ୍ୟାବ୍ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ । ଗତକାଲି ଜଗତପୁର ପୁଲିସ୍ ଦେଇଥିବା ସୂଚନା ଅନୁଯାୟୀ, ସେ କାର୍ରେ ତାଙ୍କ ଚାଉଳିଆଗଞ୍ଜ ସ୍ଥିତ ଘରୁ ଟାଙ୍ଗୀ ଅଭିମୁଖେ ଯାଉଥିଲେ । ତାଙ୍କ ସାଙ୍ଗରେ ଡ୍ରାଇଭର ମଧ୍ୟ ଥିଲେ । ମହାନଦୀ ବ୍ରିଜ୍ ଉପରେ ସେ କାର୍କୁ ସାଇଡ୍ କରିବାକୁ କହିଥିଲେ ଏବଂ କାର୍ ଅଟକିବା ପରେ ସେ ଓହ୍ଲାଇ ହଠାତ୍ ନଦୀକୁ ଡେଇଁ ପଡ଼ିଥିଲେ ।
ମିଳିଥିବା ସୂଚନା ଅନୁଯାୟୀ, ଲ୍ୟାବ୍ ଆସିଷ୍ଟାଣ୍ଟ ଦେବାଶିଷ ଦାସ ପାରିବାରିକ ସମସ୍ୟା ନେଇ କିଛି ଦିନ ଧରି ଚିନ୍ତିତ ରହୁଥିଲେ । ତେବେ ସମସ୍ତ ଦିଗକୁ ତର୍ଜମା କରି ପୁଲିସ୍ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ।