ଡିସେମ୍ବର ୧ ରୁ ହେବାକୁ ଯାଉଛି ୪ଟି ପରିବର୍ତ୍ତନ, ମହଙ୍ଗା ପଡିପାରେ ଏହିସବୁ ଜିନିଷର ଦାମ
ଡିସେମ୍ବର ୧ ରୁ ଦେଶରେ ଅନେକ କିଛି ବଦଳିବାକୁ ଯାଉଛି । ଏହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିବାକୁ ଯାଉଛି । ଯଦି ଆପଣଙ୍କ ପାଖରେ ଏହାକୁ ନେଇ ସୂଚନା ନାହିଁ ତେବେ ଡିସେମ୍ବର ୧ ତାରିଖରୁ ଆପଣ ଅନେକ ସମସ୍ୟାର ସାମ୍ନା କରିପାରନ୍ତି । ମୋଟାମୋଟି ଭାବେ ଡିସେମ୍ବର ୧ ତାରିଖରୁ ୪ ଜିନିଷ ବଦଳିବାକୁ ଯାଉଛି
୨୪ଘଣ୍ଟିଆ RTGS ସୁବିଧା
ଡିସେମ୍ବର ମାସରୁ ଗ୍ରାହକମାନଙ୍କ ପାଇଁ ୨୪ ଘଣ୍ଟିଆ ରିୟଲ ଟାଇମ୍ ଗ୍ରୋସ ସେଟେଲମେଣ୍ଟ୍ ବା RTGS ସୁବିଧା ଉପଲବ୍ଧ ହେବ । ଭାରତୀୟ ରିଜର୍ଭ ବ୍ୟାଙ୍କ୍ କହିଛି ଯେ, ଡିସେମ୍ବର ୧ ତାରିଖରୁ RTGS କାରବାରର ସୁବିଧା ୨୪ ଘଣ୍ଟିଆ ଉପଲବ୍ଧ ହେବ । କରୋନା ମହାମାରୀ ସମୟରେ ଅନଲାଇନ କାରବାର ବ୍ୟାପକ ଭାବେ ବୃଦ୍ଧି ପାଇଛି । ଏହା ପୂର୍ବରୁ NEFT ନିୟମରେ ମଧ୍ୟ ଅଦଳବଦଳ କରିଥିଲା ଆରବିଆଇ । NFET ସୁବିଧା ଡିସେମ୍ବର ୨୦୧୯ରୁ ୨୪ ଘଣ୍ଟିଆ କରାଯାଇଥିଲା । ସୂଚନା ଅନୁଯାୟୀ ମାସର ଦ୍ବିତୀୟ ଏବଂ ଚତୁର୍ଥ ଶନିବାରକୁ ଛାଡି ସମସ୍ତ କାର୍ଯ୍ୟ ଦିବସରେ ସକାଳ ୭ ଟାରୁ ସନ୍ଧ୍ୟା ୬ ଟା ଯାଏଁ RTGS ସବିଧା ଉପଲବ୍ଧ ହେଉଥିଲା । ତେବେ ଆସନ୍ତା ମାସରୁ ଏହି ନିୟମରେ ପରିବର୍ତ୍ତନ କରାଯାଇ RTGS ସୁବିଧା ୨୪ ଘଣ୍ଟିଆ କରାଯିବ ।
ଡିସେମ୍ବରରୁ ଏହି ସବୁ ରୁଟରେ ଚାଲିବ ଟ୍ରେନ୍
କରୋନା ମହାମାରୀ ସମୟରେ ଏବେ ମଧ୍ୟ ଅନେକ ରୁଟରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି । ଡିସେମ୍ବର ୧ରୁ ଅନେକ ରୁଟରେ ଟ୍ରେନ ଚଳାଚଳ ଆରମ୍ଭ ହେବ । ଯାତ୍ରୀଙ୍କ ପାଇଁ ଝେଲମ ଏକ୍ସପ୍ରେସ୍ ଏବଂ ପଞ୍ଜାବ ମେଲ ଟ୍ରେନ ସେବା ଆରମ୍ଭ ହେବ । ରେଳ ବିଭାଗ କହିଛି ଏହି ଦୁଇଟି ଟ୍ରେନକୁ ସ୍ଥିତି ଅନୁଧ୍ୟାନ କରାଯାଇ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି ।
PNB ଏଟିଏମରୁ ଟଙ୍କା ଉଠାଇବା ନିୟମରେ ପରିବର୍ତ୍ତନ
ପଞ୍ଜାବ ନେସନାଲ ବ୍ୟାଙ୍କ୍ ଡିସେମ୍ବର ୧ ତାରିଖରୁ ଏଟିଏମ ଜରିଆରେ ଟଙ୍କା ଉଠାଣ ନିୟମରେ ପରିବର୍ତ୍ତନ କରିବ । ବ୍ୟାଙ୍କର ନୂଆ ନିୟମରେ ରହିଛି ଯେ, ଟଙ୍କା ଉଠାଣ ସମୟରେ ଉପଭୋକ୍ତାଙ୍କ ମୋବାଇଲକୁ OTP ଯିବ । ତେବେ ATM ରେ OTP ପ୍ରୟୋଗ କରିବା ପରେ ହିଁ ଟଙ୍କା ଉଠାଇ ଦେବ । ୧୦ ହଜାରରୁ ଅଧିକ ଟଙ୍କା ଉଠାଇବା ପାଇଁ OTP ନିୟମ ଲାଗୁ ହେବ ।
ବଢିପାରେ ଗ୍ୟାସ ସିଲିଣ୍ଡରର ଦାମ
ସରକାରୀ ତେଲ କମ୍ପାନୀ ପ୍ରତି ମାସ ପହିଲାରେ ଏଲପିଜି ଗ୍ୟାସ୍ ସିଲିଣ୍ଡର ଦାମ ସମୀକ୍ଷା କରନ୍ତି । ତେବେ ଶୁଣା ଯାଉଛି ଡିସେମ୍ବର ୧ରୁ ଏଲପିଜି ସିଲିଣ୍ଡର ଦାମ ବଢିପାରେ । ନଭେମ୍ବର ମାସରେ ତେଲ କମ୍ପାନୀ ଗୁଡିକ ବାଣିଜ୍ୟିକ ସିଲିଣ୍ଡର ଦାମ ବୃଦ୍ଧି କରିଥିଲେ ।