ବଂଶବାଦର ପରିଭାଷା କରି ପିଏମ କହିଛନ୍ତି ଯେ, ଗୋଟିଏ ପରିବାରରେ ସୀମିତ ହୋଇଯାଇଛି କଂଗ୍ରେସ

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ହେଉଥିବା ଚର୍ଚ୍ଚାର ଉତ୍ତର ଦେଇ କଂଗ୍ରେସକୁ ନିଶାନା ସାଧିଛନ୍ତି । ସେ କହିଛନ୍ତି ଯେ, ଦଳ ଗୋଟିଏ ପରିବାରରେ ସୀମିତ ହୋଇଯାଇଛି ଏବଂ କୋଟି କୋଟି ପରିବାରର ଆକାଂକ୍ଷା ଓ ଉପଲବ୍ଧିକୁ ଦେଖିପାରୁନାହିଁ ।
ପ୍ରଧାନମନ୍ତ୍ରୀ ସୋମବାର ପରିବାରବାଦର ପରିଭାଷା ପ୍ରସ୍ତୁତ କରି କଂଗ୍ରେସ ପାର୍ଟି ଓ ବିଜେପି ମଧ୍ୟରେ ଥିବା ପାର୍ଥକ୍ୟ ଦର୍ଶାଇଛନ୍ତି । ସେ କହିଛନ୍ତି ଯେ, କୌଣସି ପରିବାରରେ ଜଣଙ୍କରୁ ଅଧିକ ବ୍ୟକ୍ତି ନିଜ ବଳରେ ଏବଂ ଜନତାଙ୍କ ସହଯୋଗରେ ରାଜନୈତିକ କ୍ଷେତ୍ରରେ ବିକାଶ କରନ୍ତି, ଆମେ ତାକୁ ବଂଶବାଦ ରାଜନୀତି କହୁନାହୁଁ । ବଂଶବାଦ ରାଜନୀତିର ଅର୍ଥ ହେଉଛି, ଗୋଟିଏ ପାର୍ଟି ପରିବାର ଦ୍ୱାରା ଚଳାଯାଉଥିବ, ଦଳ ଗୋଟିଏ ପରିବାରର ସଦସ୍ୟଙ୍କୁ ପ୍ରାଥମିକତା ଦେଉଥିବ ଏବଂ ପରିବାରର ସଦସ୍ୟ ହିଁ ପାର୍ଟିର ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଥିବେ ।
ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ବିଜେପିର ଦୁଇ ବଡ ନେତା ରାଜନାଥ ସିଂ ଏବଂ ଅମିତ ଶାହଙ୍କ କଥା ଉଠାଇଥିଲେ। ସେ କହିଥିଲେ ଯେ, ଉଭୟ ନେତା ବିଜେପି ଚଳାନ୍ତି ନାହିଁ। ତାଙ୍କ ଇସାରା ଦୁଇ ନେତାଙ୍କ ପୁଅଙ୍କ ଆଡକୁ ଥିଲା, ଯେଉଁମାନେ କି ବର୍ତ୍ତମାନ ସାଧାରଣ ଜୀବନ ବଂଚୁଛନ୍ତି । ସେ କଂଗ୍ରେସକୁ ନିଶାନା କରି କହିଥିଲେ ଯେ ଦଳ ଗୋଟିଏ ପରିବାରରେ ସୀମିତ ହୋଇଯାଇଛି। ସେ ଦେଶର କୋଟି କୋଟି ପରିବାରର ଆକାଂକ୍ଷା ଏବଂ ସଫଳତା ଦେଖିପାରୁ ନାହାଁନ୍ତି।