ଓଡ଼ିଶା

ଗଣତନ୍ତ୍ର

ଗଣତନ୍ତ୍ର ଖାଲି
ନାଆଁଟା ତାହାର
ଦଳତନ୍ତ୍ରେ ଚାଲେ ଇଏ
ସିଏ ହିଁ ଜାଣିଛି
ଏ ଗଣତନ୍ତ୍ରର
ଭୁକ୍ତଭୋଗୀ ଏଠି ଯିଏ।

ରାଜା ପୁଅ ଦିନେ
ରାଜା ହେଉଥିଲା
ଏବେ ସେହି ପ୍ରଥା ଚାଲେ
ଧନୀ ପୁଅ ଏଠି
ନିର୍ବାଚନ ଲଢେ
ଭୋଅଟ ତାହାକୁ ମିଳେ।

ଗାନ୍ଧୀ ମୁଣ୍ଡ ଦେଇ
ଭୋଟ କିଣା ହୁଏ
ଭକୁଆ ଭୋଅଟ ଦାତା
ତେଲିଆ ମୁଣ୍ଡରେ
ତେଲ ଢଳାଯାଏ
ଲାଭବାନ ଧନୀ ନେତା।

ବିଧାନସଭା ତ
ମନ୍ଦିର ଆମର
ଘଣ୍ଟା ଘଣ୍ଟି ଏଠି ବାଜେ
ଦେବଡା ଏଠାରେ
କେହି ବି ନ ଥାନ୍ତି
ଦିଅଁ ବିଧାୟକ ନିଜେ।

ନିଜେ ହିଁ ବଜାଇ
ନିଜେ ହିଁ ଗାଆନ୍ତି
ବଳ କଷାକଷି ହୁଏ
ପାଂଚ ବରଷର
ଶାସନ ଭିତରେ
ଜନସ୍ବାର୍ଥ ହଜିଯାଏ।

ମହାତମା ଗାନ୍ଧୀ
କେବେଠୁଁ ଗଲେଣି
ମୁଣ୍ଡ ଯାଇଛନ୍ତି ଛାଡି
ସେହି ମୁଣ୍ଡ ଆଜି
ନିୟନ୍ତ୍ରଣ କରେ
ଆମ ଗଣତନ୍ତ୍ର ଗାଡି।

ମୁଣ୍ଡରେ ନ ଥାଏ
ଜୀବନୀ ଶକ୍ତି
ଚଳଚଂଚଳ ସିଏ
ତା ମାୟା ଜାଲରେ
ଫସି ଯାଉଛନ୍ତି
ମୂରୁଖ ମଣିଷ ଯିଏ
*****
ଅକ୍ଷୟ ମହାନ୍ତି।

Show More

Related Articles

Back to top button