ନକଲି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଧରିବାକୁ ନିର୍ଦ୍ଦେଶ ଦେଲା ଗଣଶିକ୍ଷା ବିଭାଗ
ଜାଲ୍ ପ୍ରମାଣପତ୍ରଧାରୀଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ
ନକଲି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଧରିବାକୁ ନିର୍ଦ୍ଦେଶ ଦେଇଛି ଗଣଶିକ୍ଷା ବିଭାଗ । ଜାଲ୍ ପ୍ରମାଣପତ୍ରଧାରୀଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ୧୫ ସୂତ୍ରୀ ନିୟମାବଳୀ ଜାରି କରାଯାଇଛି ।
ନିର୍ଦେଶକ ଓ ଶିକ୍ଷା ଅଧିକାରୀଙ୍କୁ ସଚିବଙ୍କ ଚିଠି । ରାଜ୍ୟରେ ଏକକାଳୀନ ୬ ହଜାର ୧୩୧ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ମିଳିଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ ପ୍ରକ୍ରିୟା ପାଇଁ ପ୍ରସ୍ତୁତି ଚାଲିଛି । ଅନ୍ୟପକ୍ଷରେ ବିଭିନ୍ନ ଜିଲ୍ଲାରେ ଜାଲ୍ ପ୍ରମାଣପତ୍ର ଦେଇ ନିଯୁକ୍ତି ପାଇଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସୁପାରିସ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏନେଇ ସମସ୍ତ ନିର୍ଦ୍ଦେଶକ, ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ), ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଚିଠି ଲେଖି ଅବଗତ କରାଇଛନ୍ତି । ତୁରନ୍ତ ନକଲି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଧରି ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହ ପୁଲିସରେ ଅଭିଯୋଗ କରିବାକୁ କୁହାଯାଇଛି ।
ଚିଠିରେ ଉେଲ୍ଲଖ କରିଛନ୍ତି ଯେ, କୌଣସି ବ୍ୟକ୍ତି କିମ୍ବା ଅଧିକାରୀଙ୍କଠାରୁ ନକଲି ପ୍ରମାଣପତ୍ର ଦାଖଲ ସମ୍ବନ୍ଧରେ ଅଭିଯୋଗ ମିଳିବା ମାତ୍ରେ ଅନୁସନ୍ଧାନ କରିବେ ଶିକ୍ଷା ଅଧିକାରୀ । କୌଣସି ନକଲି ପ୍ରମାଣପତ୍ର ଦାଖଲ କରିଥିବା ସ୍ଥାୟୀ, ଅସ୍ଥାୟୀ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ତୁରନ୍ତ ଚିହ୍ନଟ କରିବେ । ସେମାନଙ୍କୁ ଚିହ୍ନଟ କରିବା ପରେ ବିଭାଗର ନିୟମ ଅନୁସାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିବାକୁ କୁହାଯାଇଛି । ଯେଉଁ ଅଧିକାରୀ ଶିକ୍ଷକଙ୍କ ଏପରି ବେଆଇନ କାର୍ଯ୍ୟକଳାପରେ ସଂପୃକ୍ତି ଥିବେ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ନକଲି ସାର୍ଟିଫିକେଟ୍ ଆଧାରରେ ନିଯୁକ୍ତି ସହିତ ଜଡିତ ମାମଲା ଗୁଡ଼ିକରେ ଶୃଙ୍ଖଳାଗତ ପ୍ରକ୍ରିୟା ଯଥେଷ୍ଟ ସମୟ ନେଉଛି । ତେଣୁ ନକଲି ସାର୍ଟିଫିକେଟ୍ ଆଧାରରେ ଚାକିରି ପାଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ଅପସାରଣ/ ବରଖାସ୍ତ କରିବା ଦରକାର। ନକଲି ପ୍ରମାଣପତ୍ର ଦେଇଥିବା ଶିକ୍ଷକଙ୍କର ଧାର୍ଯ୍ୟ ସମୟସୀମା ମଧ୍ୟରେ ଯାଞ୍ଚ ପ୍ରକ୍ରିୟା ସାରିବାକୁ କୁହାଯାଇଛି । ଯାଞ୍ଚ ପ୍ରକ୍ରିୟା ବିଳମ୍ବ ହେବା ଦ୍ଵାରା ନକଲି ପ୍ରମାଣପତ୍ର ଆଧାରରେ ନିଯୁକ୍ତି ପାଇଥିବା ଅସାଧୁ ବ୍ୟକ୍ତି ସେବାରେ ଅଧିକ ଦିନ ରହୁଛନ୍ତି । ଏଥିପତ୍ରି ଶିକ୍ଷା ଅଧିକାରୀ ସ୍ଵତନ୍ତ୍ର ଧ୍ୟାନ ଦେବେ । ନକଲି ସାର୍ଟିଫିକେଟ୍ ମାମଲା ପରିଚାଳନା ନେଇ ବିଭାଗ ପକ୍ଷରୁ ସ୍ଵତନ୍ତ୍ର ନିୟମାବଳୀ ଜାରି କରାଯାଇଛି । ୧୫ ସୂତ୍ରୀ ନିୟମାବଳୀ ଆଧାରରେ ପଦକ୍ଷେପ ନେବେ ନିର୍ଦ୍ଦେଶକ ଓ ଶିକ୍ଷା ଅଧିକାରୀ ।
ନକଲି ପ୍ରମାଣପତ୍ର ଦାଖଲ ସମ୍ବନ୍ଧରେ ଜନସାଧାରଣଙ୍କ ଠାରୁ କିମ୍ବା ଅଧିକାରୀଙ୍କଠାରୁ ସୂଚନା ପାଇବା ମାତ୍ରେ ବିଇଓ, ଡିଇଓ ଓ ନିର୍ଦେଶକ ଅନୁସନ୍ଧାନ ଆରମ୍ଭ କରିବେ । ସଂପୃକ୍ତ ଶିକ୍ଷକଙ୍କର ତୁରନ୍ତ ପାଠ ପଢିଥିବା ପରିଷଦ(ବୋର୍ଡ) ଓ ବିଶ୍ଵବିଦ୍ୟାଳୟରୁ ସାର୍ଟିଫିକେଟ(ପ୍ରମାଣପତ୍ର) ଯାଞ୍ଚ କରାଯିବ । ଏନେଇ ଯାହା ଖର୍ଚ୍ଚ ହେବ ତାହା ସମଗ୍ର ଶିକ୍ଷା ପାଣ୍ଠିରୁ ଭରଣା କରାଯିବ । ଆବଶ୍ୟକ ସ୍ଥଳେ ଏହି ପ୍ରକ୍ରିୟା ପାଇଁ ଜଣେ ଅଧିକାରୀଙ୍କୁ ନିଯୁକ୍ତି କରାଯାଇପାରିବ । ଯଦି ଅଭିଯୋଗ ହୋଇଥିବା ଶିକ୍ଷକଙ୍କ ପ୍ରମାଣପତ୍ର ସଠିକ୍ ଥାଏ ତେବେ ଉକ୍ତ ନଥି(ଫାଇଲ)କୁ ତୁରନ୍ତ ବନ୍ଦ କରାଯିବ ।
ଯଦି ସାର୍ଟିଫିକେଟ୍ ଜାଲ ବୋଲି ଜଣାପଡେ, ତେବେ ନିୟମ ଅନୁଯାୟୀ ସଂପୃକ୍ତ ଶିକ୍ଷକ/କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଗୋଟିଏ କେସ୍ ରେକର୍ଡ ଖୋଲାଯିବ । ନିଯୁକ୍ତି ଆଦେଶରେ ଥିବା ନିୟମାବଳୀ ନିଶ୍ଚିତ ଭାବରେ ଅନୁସନ୍ଧାନ ତାରିଖ ଭଳି ସବିଶେଷ ତଥ୍ୟ ଉଲ୍ଲେଖ କରାଯିବା ଆବଶ୍ୟକ । ନକଲି ପ୍ରମାଣପତ୍ର ପ୍ରମାଣିତ ହେଲେ ଅନୁସନ୍ଧାନକାରୀ ଅଧିକାରୀ ସେବାରୁ ବରଖାସ୍ତର ଦଣ୍ଡକୁ ସୁପାରିସ କରିବା ଦରକାର । ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହ ଅପରାଧ ପାଇଁ ପୁଲିସ ନିକଟରେ ପୃଥକ ଭାବେ ମାମଲା କରାଯିବ । ଏ ଦିଗରେ ସଂପୃକ୍ତ ନିର୍ଦେଶକ, ବ୍ଲକ ଓ ଜିଲା ଶିକ୍ଷା ଅଧିକାରୀ ପଦକ୍ଷେପ ନେବାକୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି ।