
ଭୁବନେଶ୍ୱର : ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ବିଜୟ ସହ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଉପନିର୍ବାଚନ ଇତିହାସରେ ତୃତୀୟ ଥର ପାଇଁ ପରାଜିତ ହୋଇଛି । ନବୀନଙ୍କ ନେତୃତ୍ୱରେ ବିଜେଡି ୨୦୦୦ ମସିହାରୁ ମୋଟ ୧୫ଟି ଉପନିର୍ବାଚନର ସମ୍ମୁଖୀନ ହୋଇଥିବାବେଳେ ସେଥିରୁ ୩ଟିରେ ପରାଜିତ ହୋଇଛନ୍ତି । ତେବେ ବିଜେଡି ଏବେ ସଫଳତାର ଶିଖରରେ ଥିବା ସତ୍ତ୍ୱେ ଧାମନଗର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପରାଜୟ ଉଭୟ ବିଜେଡିର ସାଂଗଠନିକ ପରିଚାଳନା ଓ ଦଳୀୟ ନେତୃତ୍ୱଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତଥ୍ୟ ସୂଚନା ଅନୁସାରେ, ୨୦୦୦ ମସିହାରେ ନବୀନ ପଟ୍ଟନାୟକ କ୍ଷମତାସୀନ ହେବାପରଠୁ ରାଜ୍ୟରେ ଆଜିସୁଦ୍ଧା ମୋଟ ୧୫ଟି ଉପନିର୍ବାଚନ ହୋଇଛି । ସେଥିରୁ ୨ଟିରେ ବିଜେପି, ୨ଟିରେ କଂଗ୍ରେସ ଓ ଅନ୍ୟ ୧୧ଟିରେ ବିଜେଡି ବିଜୟୀ ହୋଇଛି । ୨୦୦୦-୦୪ ମସିହା ମଧ୍ୟରେ ରାଜ୍ୟରେ ମୋଟ ୪ଟି ଉପନିର୍ବାଚନ ହୋଇଛି । ରେଢାଖୋଲ ବିଧାନସଭା ଆସନରେ ବିଜେଡି ବିଧାୟକ ଦୁର୍ଯ୍ୟୋଧନ ସୋହେଲାଙ୍କ ମୃତ୍ୟୁରେ ଉପନିର୍ବାଚନରେ ବିଜେଡିର ସନାତନ ବିଶି ବିଜୟୀ ହୋଇଥିଲେ । ସେହିପରି ବୀରମହାରାଜପୁରରେ ବିଜେଡିର ବିଧାୟକ ବୈଷ୍ଣବ ପ୍ରଧାନଙ୍କ ମୃତ୍ୟୁରେ ହୋଇଥିବା ଉପନିର୍ବାଚନରେ ବିଜେଡିର ସଞ୍ଜିବ କୁମାର ସାହୁ, ନୟାଗଡ଼ର ବିଜେଡି ବିଧାୟକ ଭାଗବତ ବେହେରାଙ୍କ ମୃତ୍ୟୁରେ ତାଙ୍କ ପତ୍ନୀ ବିଜେଡିର ମନ୍ଦାକିନୀ ବେହେରା ବିଜୟୀ ହୋଇଥିଲେ । ସେହିପରି ଭଦ୍ରକର କଂଗ୍ରେସ ବିଧାୟକ ବୀରେନ ପଲେଇଙ୍କ ମୃତ୍ୟୁରେ ବିଜେଡିର ପ୍ରଫୁଲ୍ଲ ସାମଲ ଜିତିଥିଲେ। ୨୦୦୪-୦୯ ମସିହା ମଧ୍ୟରେ ରାଜ୍ୟରେ ମୋଟ ୩ଟି ଉପନିର୍ବାଚନ ହୋଇଛି । ସୁନ୍ଦରଗଡ଼ର ବିଜେପି ବିଧାୟକ ସୁଦର୍ଶନ ନାୟକଙ୍କ ମୃତ୍ୟୁ ପରେ ବିଜେପିର ସୁଷମା ପଟେଲ ବିଜୟୀ ହୋଇଥିଲେ । ସେହିପରି ତଳସରା କଂଗ୍ରେସ ବିଧାୟକ ଗଦାଧର ମାଝୀଙ୍କ ମୃତ୍ୟୁରେ କଂଗ୍ରେସର ପ୍ରଫୁଲ୍ଲ ମାଝୀ ଓ ଲକ୍ଷ୍ମୀପୁର ବିଧାୟକ ଅର୍ନ୍ତଯାମୀ ମାଝୀଙ୍କ ମୃତ୍ୟୁରେ କଂଗ୍ରେସର ପୂର୍ଣ୍ଣଚନ୍ଦ୍ର ମାଝୀ ବିଜୟୀ ହୋଇଥିଲେ । ଏହି ଅବଧିରେ ବିଜେଡି ଗୋଟିଏ ବି ଆସନ ଜିତିବାରେ ସକ୍ଷମ ହୋଇପାରିନଥିଲା । ଯଦିଓ ନବୀନଙ୍କ ନେତୃତ୍ୱରେ ରାଜ୍ୟରେ ବିଜେଡି ଓ ବିଜେପିର ମେଣ୍ଟ ସରକାର ଚାଲିଥିଲା। ସେହିପରି ବିଜେପିର ହାତ ଛାଡ଼ି ୨୦୦୯ରୁ ନବୀନ ପଟ୍ଟନାୟକ ନେତୃତ୍ୱରେ ବିଜେଡି ଏକାକୀ ସରକାର ଗଠନ କଲା । ସେବେଠୁ ବିଜେଡି ଆଉ ନିର୍ବାଚନୀ ପରାଜୟ ସ୍ୱାଦ ଚାଖିନଥିଲା । ମାତ୍ର ଏହି ଟ୍ରେଣ୍ଡ ଧାମନଗରରେ ଭାଙ୍ଗିଛି । ୨୦୦୯ରୁ ୨୦୧୪ ମସିହା ମଧ୍ୟରେ କେବଳ ଉମରକୋଟରେ ଉପନିର୍ବାଚନ ହୋଇଥିଲା । ବିଜେଡିର ଜଗବନ୍ଧୁ ମାଝୀଙ୍କ ମୃତ୍ୟୁ ପରେ ବିଜେଡିର ସୁବାସ ଗଣ୍ଡ ବିଜୟୀ ହୋଇଥିଲେ। ୨୦୧୪-୧୯ ମସିହା ମଧ୍ୟରେ ରାଜ୍ୟରେ ବିଜେପୁରରେ ଗୋଟିଏ ଉପନିର୍ବାଚନ ହୋଇଥିଲା । ବିଜେପୁରର କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ରୀତା ସାହୁ ବିଜେଡି ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ।