Breaking PLUSଦେଶମୁଖ୍ୟ ଖବର

ଛାତ୍ର ଆନ୍ଦୋଳନକୁ ନେଇ ବିରୋଧୀଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍‌

ନୂଆଦିଲ୍ଲୀ: ଛାତ୍ରଛାତ୍ରୀଙ୍କୁ ବ୍ୟବହାର କରି ଦେଶର ରାଜନୈତିକ ବ୍ୟବସ୍ଥାକୁ ଅସ୍ଥିର କରିବା ପାଇଁ ଏହା ରାଷ୍ଟ୍ରବିରୋଧୀ ଶକ୍ତିଙ୍କ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜନମତକୁ ଅପମାନିତ କରୁଥିବା ବେଳେ କଂଗ୍ରେସ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ ପ୍ରତି ଅବିଶ୍ୱାସ ସୃଷ୍ଟି କରୁଛି ବୋଲି ମଧ୍ୟ ସେ କହିଛନ୍ତି।

ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ ଚାଲିଥିବା ପ୍ରତିବାଦକୁ ନେଇ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏହା ଏବେ ସରକାର ପରିବର୍ତ୍ତନ ପାଇଁ ଲଢ଼େଇରେ ପରିଣତ ହୋଇଛି ବୋଲି କହିବା ପରେ ଧର୍ମେନ୍ଦ୍ରଙ୍କ ଏହି ମନ୍ତବ୍ୟ ଆସିଛି। ଅନ୍ୟପଟେ, ଅଖିଳ ଭାରତୀୟ ଛାତ୍ର ସଂଘ (ଆଇସା)ର ସଭାପତି ନେହା ବୋରା ବାଂଲାଦେଶର ଜେନ୍‌-ଜି ଆନ୍ଦୋଳନକୁ ଭାରତର ଯୁବପିଢ଼ିଙ୍କ ପାଇଁ ପ୍ରେରଣା ବୋଲି କହିଥିଲେ।

ସୋସିଆଲ ମିଡିଆ ‘ଏକ୍ସ’ରେ ଧର୍ମେନ୍ଦ୍ର କହିଛନ୍ତି, ଜନସ୍ୱାର୍ଥ, ବ୍ୟବସ୍ଥାରେ ସଂସ୍କାର ଓ ଛାତ୍ରକଲ୍ୟାଣ ନାମରେ ଆରମ୍ଭ ହୋଇଥିବା ଆନ୍ଦୋଳନର ପ୍ରକୃତ ଉଦ୍ଦେଶ୍ୟ ଆଉ ଲୁଚି ରହିନାହିଁ। ବାଂଲାଦେଶର ଘଟଣାରୁ ପ୍ରେରଣା ନେବା ଏବଂ ସରକାର ପରିବର୍ତ୍ତନ କଥା କହିବା ଏହା ପଛରେ ଷଡ଼ଯନ୍ତ୍ର ଥିବା ସୂଚାଉଛି ବୋଲି ସେ ଅଭିଯୋଗ କରିଛନ୍ତି।

୧୯୭୫ ମସିହାର ଜରୁରୀ ପରିସ୍ଥିତିକୁ ଉଲ୍ଲେଖ କରି ସେ କଂଗ୍ରେସକୁ ମଧ୍ୟ ସମାଲୋଚନା କରିଛନ୍ତି। ଦେଶରେ ସରକାର ପରିବର୍ତ୍ତନ କେବଳ ଗଣତାନ୍ତ୍ରିକ ପ୍ରକ୍ରିୟାରେ ହିଁ ହୋଇପାରିବ ବୋଲି ସେ ମତ ଦେଇଛନ୍ତି।

Show More

Related Articles

Back to top button