ଦୁର୍ଗାପୂଜା ପାଇଁ କଟକରେ କଡ଼ା ସୁରକ୍ଷା, ମୁତୟନ ହେବେ ୬୦ ପ୍ଲାଟୁନ୍ ପୁଲିସ

କଟକ: ଆଗାମୀ ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହ ଆୟୋଜନ କରିବା ପାଇଁ କଟକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଛି କମିସନରେଟ୍ ପୁଲିସ। ସହରର ବିଭିନ୍ନ ସ୍ଥାନରେ ୧୩୦୦ରୁ ଅଧିକ ସିସିଟିଭି କ୍ୟାମେରା ଲଗାଯିବା ସହ ୬୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବେ।
ଏହାବ୍ୟତୀତ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଓ ଅସାମାଜିକ କାର୍ଯ୍ୟକଳାପ ରୋକିବା ପାଇଁ ପ୍ରାୟ ୫୦୦ ପୁଲିସ ଅଧିକାରୀ ଏବଂ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆର୍ପିଏଫ୍)ର ଦୁଇ କମ୍ପାନୀ ନିୟୋଜିତ ହେବେ। ସହରର ବିଭିନ୍ନ ସ୍ଥାନରେ ୫୭ଟି ସହାୟତା କେନ୍ଦ୍ର ମଧ୍ୟ ଖୋଲାଯିବ।
ପୂଜା ସମୟରେ କୌଣସି ଅଘଟଣ କିମ୍ବା ବିଶୃଙ୍ଖଳା ଘଟିଲେ ତୁରନ୍ତ ପଦକ୍ଷେପ ନେବାକୁ ବିଭିନ୍ନ ସ୍ଥାନରେ ମୁତୟନ ପୁଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶୁକ୍ରବାର ଜବାହରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମ୍ରେ ଆୟୋଜିତ ପୁଲିସ ବୈଠକରେ ସୁରକ୍ଷା ଯୋଜନା ଓ କର୍ମଚାରୀଙ୍କ ଦାୟିତ୍ୱ ସମ୍ପର୍କରେ ବୁଝାଇ ଦିଆଯାଇଥିଲା।
କଟକ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ କହିଛନ୍ତି ଯେ, ଦୁର୍ଗାପୂଜାକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ସମସ୍ତ ଆବଶ୍ୟକ ବ୍ୟବସ୍ଥା କରାଯାଇଛି।



