ଧୋନୀଙ୍କ ପ୍ରଶଂସକ: ଦିବ୍ୟାଙ୍ଗ ଝିଅ ଲାବଣ୍ୟାଙ୍କ ପାଖରେ ପହଞ୍ଚିଲେ ଏମଏସ୍ ଧୋନୀ

ନୂଆଦିଲ୍ଲୀ: ଇଣ୍ଟର ନ୍ୟାସନାଲ କ୍ରିକେଟକୁ ଅଲବିଦା କରି ସାରିଥିବା ମିଷ୍ଟର କୁଲ ମହେନ୍ଦ୍ର ସିଂ ଧୋନୀଙ୍କ କ୍ରେଜ୍ କିନ୍ତୁ କମିନି । ତାଙ୍କର ଗୋଟିଏ ଝଲକ ଦେଖିବା ପାଇଁ ପ୍ରଶଂସକମାନେ ପାଗଳ । ଯେବେ ଦିବ୍ୟାଙ୍ଗ ଝିଅ ଲାବଣ୍ୟା ପିଲାନିୟାଙ୍କୁ ଭେଟିବାକୁ ଧୋନୀ ଯାଇ ତାଙ୍କ ପାଖରେ ପହଞ୍ଚି ଗଲେ, କୋହ ସମ୍ଭାଳି ନପାରି କାନ୍ଦି ପକାଇଲେ ଲାବଣ୍ୟା । ଆଉ ମିଷ୍ଟର ଧୋନୀ ତାଙ୍କ ଆଖିରୁ ଲୁହ ପୋଛି ଦେଇ ନକାନ୍ଦିବାକୁ କହିଥିଲେ ।ଲାବଣ୍ୟା ହେଲେ ଧୋନୀଙ୍କ ଜଣେ ବଡ ପ୍ରଶଂସକ । ତାଙ୍କର ଗୋଟିଏ ଇଚ୍ଛା ଥିଲା କେମିତି ଧୋନୀଙ୍କ ସହ ତାଙ୍କର ଦେଖା ହେବ । ଧୋନୀ ଏ ସମ୍ପର୍କରେ ଜାଣିବା ପରେ ଲାବଣ୍ୟାଙ୍କ ପାଖରେ ପହଞ୍ଚି ଯାଇଥିଲେ । ଧୋନୀଙ୍କ ସହ ଭେଟର ଫଟୋ ଲାବଣ୍ୟା ନିଜ ଇଣ୍ଟାଗ୍ରାମରେ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ‘ତାଙ୍କ ସହ ସାକ୍ଷାତର ସେହି ମୁର୍ହୃତ୍ତ ଶବ୍ଦରେ ପରିପ୍ରକାଶ କରି ହେବନି । ସେ ଜଣେ ଦୟାଳୁ, ମୃଦୁଭାଷି ଓ ସ୍ନେହି ମଣିଷ । ସେ ଯେତେବେଳେ ମୋ ନାଁର ସ୍ପେଲିଂ ପଚାରିଲେ ଓ ହାତ ହଲାଇଲେ ମୋ ଆଖିରୁ ଲୁହ ଝରି ଯାଇଥିଲା । ସେ ମୋ ଲୁହ ପୋଛି ଦେବା ସହ ନକାନ୍ଦିବାକୁ କହିଥିଲେ । ଏହା ମୋ ଜୀବନର ସବୁଠାରୁ ଖୁସିର ସମୟ ଥିଲା ।’ ନିଜ ପ୍ରିୟ ମଣିଷକୁ ଲାବଣ୍ୟା ଦେଇଥିଲେ ଏକ ସ୍ପେଶାଲ ଗିଫ୍ଟ । ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ସେ ତାଙ୍କୁ ଗିଫ୍ଟ ଦେବା ପରେ ସେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଗିଫ୍ଟକୁ ସେ ନିଜ ପାଖରେ ସବୁଦିନ ରଖିବେ ବୋଲି କହିଥିଲେ । ୨୦୨୨ ମେ ୩୧ ଲାବଣ୍ୟାଙ୍କ ପାଇଁ ସ୍ମରଣୀୟ ରହିବ ବୋଲି ସେ କହିଛନ୍ତି ।’


