କଂଗ୍ରେସରେ ପ୍ରଶାନ୍ତ କିଶୋରଙ୍କ ଯୋଗଦାନକୁ ନେଇ ଚର୍ଚ୍ଚା
କଂଗ୍ରେସରେ ଯୋଗଦେବେ କି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର !
ନୂଆଦିଲ୍ଲୀ: କଂଗ୍ରେସରେ ଯୋଗଦେବେ କି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ! ପ୍ରଶାନ୍ତ କିଶୋର ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ସାଂସଦ ରାହୁଲ ଗାନ୍ଧି ଓ ବରିଷ୍ଠ ନେତା କେ. ବେଣୁଗୋପାଳଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତକାର ପରେ ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେବା ନେଇ ଜୋରସୋର ଚର୍ଚ୍ଚା ହେଉଛି । ଏହି ବୈଠକରେ ଦଳର ଅନ୍ତରୀଣ କନ୍ଦଳ ଓ ଆଗାମୀ ରଣନୀତି ନେଇ ଆଲୋଚନା ହେବ ବୋଲି ସୂଚନା ରହିଛି । ୨୦୨୪ ସାଧାରଣ ନିର୍ବାଚନ ସମେତ ଅନ୍ୟ କିଛି ରାଜ୍ୟରେ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ କଂଗ୍ରେସ ନେତୃବୃନ୍ଦଙ୍କ ସହ ନିକଟରେ ଆଲୋଚନା ଆରମ୍ଭ କରିଥିଲେ ପ୍ରଶାନ୍ତ କିଶୋର । ପୂର୍ବରୁ ମଧ୍ୟ ପ୍ରଶାନ୍ତ କିଶୋର ଓ କଂଗ୍ରେସ ମଧ୍ୟରେ ଆଲୋଚନା ହୋଇଥିଲା । କିନ୍ତୁ ଏହା ବିଫଳ ହୋଇଥିଲା । ଏ ବର୍ଷ ଶେଷ ଆଡ଼କୁ ଗୁଜୁରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଶାନ୍ତ କିଶୋର ପ୍ରଥମେ ଫୋକସ କରିବା ଦରକାର ବୋଲି କଂଗ୍ରେସ ଚାହୁଁଥିବା ଜଣାପଡ଼ିଛି । ଗୁଜୁରାଟ ନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କୁ କଂଗ୍ରେସ ଏକ ବଡ଼ ଭୂମିକା ଦେଇପାରେ ବୋଲି ଗତ କିଛି ଦିନ ହେବ ଆଲୋଚନା ହେଉଥିଲା । ଏହାପୂର୍ବରୁ ଏକ ସାକ୍ଷାତକାରରେ ପ୍ରଶାନ୍ତ ନିଜେ ନିଜର ରାଜନୈତିକ ଭବିଷ୍ୟତ ବିଷୟରେ ଏକ ବଡ଼ ଘୋଷଣା କରିବା ବିଷୟରେ କହିଥିଲେ।