ଅଧିକ ସଂକ୍ରମଣ ହେଲେ ବି ଘାତକ ନୁହେଁ ଓମିକ୍ରନ
ଶରୀରର ଆଣ୍ଟିବଡି କରି ପାରୁଛି ଏହାର ମୁକାବିଲା: ଡାକ୍ତର

ଦେଶରେ ଓମିକ୍ରନର ପ୍ରକୋପ ଜାରି ରହିଛି। ଏହା ଅତି ଶୀଘ୍ର ମଣିଷଙ୍କୁ ସଂକ୍ରମଣ କରୁଛି। ତେବେ ଏହା ସେତେଟା ଘାତକ ନୁହେଁ ଏବଂ ମଣିଷର ବିଶେଷ କ୍ଷତି କରି ପାରୁନି। ସୋମବାର ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକଙ୍କ କରୋନା ସଚେତନ ପାଇଁ ଜାରି କରାଯାଉଥିବା ଭିଡିଓ ବାର୍ତ୍ତାରେ ଏହା କହିଛନ୍ତି ସ୍ଵାସ୍ଥ୍ୟ ବିଶେଷଜ୍ଞ ଡାକ୍ତର କ୍ଷୀରୋଦ ରାଉତ। ସେ କହିଛନ୍ତି, ଓମିକ୍ରନ ଅତିଶୀଘ୍ର ମଣିଷକୁ ସଂକ୍ରମଣ କରୁଛି। ତୃତୀୟ ଲହରରେ ଏହା ଡେଲ୍ଟା ସହ ଲୋକଙ୍କୁ ସଂକ୍ରମିତ କରୁଛି। ଓମିକ୍ରନର ସ୍ପାଇକ୍ ଅତିଶୀଘ୍ର ମ୍ୟୁଟେଟ୍ କରି ପାରୁଛି। ଆମ ଶରୀରର ଆଣ୍ଟିବଡି ଏହି ସ୍ପାଇକ୍ ସହ ମୁକାବିଲା କରି ପାରୁଛି। ତେଣୁ ଓମିକ୍ରନ ଅଧିକ ସଂକ୍ରମଣ ହେଲେ ବି ଘାତକ ହେଉନି। ଓମିକ୍ରନ ଶରୀରରେ ଅଧିକ ମ୍ୟୁଟେଟ୍ ହୋଇ ହାଲିଆ ହୋଇ ଯାଉଛି।
ତେଣୁ ଘାତକ ନହେବାର ଏହା ମଧ୍ୟ କାରଣ ହୋଇପାରେ ବୋଲି ଡାକ୍ତର କ୍ଷୀରୋଦ ରାଉତ କହିଛନ୍ତି। ଏପରିକି ଓମିକ୍ରନ ଫୁସଫୁସ୍ର ଅଧିକ ସଂକ୍ରମିତ କରି ପାରୁନି। ଲୋକଙ୍କ ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତି ଏହି ଭାରିଆଣ୍ଟର ମୁକାବିଲା କରୁ ପାରୁଛି। କିନ୍ତୁ କୌଣସି ସିଜନକୁ ଦେଖି ଭାଇରସ୍ ବଢିନଥାଏ ବୋଲି ଡାକ୍ତର କହିଛନ୍ତି। ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ୧୦୪୮୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୪୪୪୦୧ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୦୮୨ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୪୪୦୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୯୮୨ଜଣ ରହିଛନ୍ତି ।