ଶ୍ରୀମନ୍ଦିରରେ ଭକ୍ତଙ୍କ ଡ୍ରେସକୋଡ ପ୍ରସଙ୍ଗ, ଜେଟିପିକୁ ଦାୟିତ୍ୱ

ଆଗାମୀ ନୂଆବର୍ଷରୁ ଶ୍ରୀମନ୍ଦିର ପ୍ରଶାସନ ଭକ୍ତଙ୍କ ପାଇଁ ନୂଆ ନିୟମ ଲାଗୁ କରିବାକୁ ଯାଉଛି। ଅଶାଳୀନ ପୋଷାକ ପରିଧାନ କଲେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଜାରି ହେବ। ଭକ୍ତଙ୍କ ପୋଷାକକୁ ଜଗନ୍ନାଥ ଟେମ୍ପୁଲ ପୋଲିସ ତଦାରଖ କରିବ। ତେଣୁ ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ପ୍ରଶିକ୍ଷଣ ଶିବିର ଶୁକ୍ରବାର ନୀଳାଦ୍ରି ଭକ୍ତନିବାସରେ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଅଧ୍ୟକ୍ଷତା କରିଥିବାବେଳେ ସୁରକ୍ଷା ପ୍ରଶାସକ, କମାଣ୍ଡର ଓ ଜେଟିପିମାନେ ଉପସ୍ଥିତ ଥିଲେ। ଶ୍ରୀମନ୍ଦିରରେ ଭକ୍ତଙ୍କ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ପ୍ରକ୍ରିୟା ଏବେ ତ୍ୱରାନ୍ବିତ ହୋଇଛି। ଶାଳୀନତାପୂର୍ଣ୍ଣ ପୋଷକ ପରିଧାନ ନେଇ ସମସ୍ତ ନିଯୋଗ ଏବଂ ହୋଟେଲ ଆସୋସିଏଶନ୍ର ସହଯୋଗ କାମନା ପରେ ଜେଟିପିମାନଙ୍କୁ ତାଲିମ ଦିଆଯାଇଛି। ସେମାନେ ଯାତ୍ରୀ ତଥା ପର୍ଯ୍ୟଟକଙ୍କୁ ଯେଭଳି ଉଚିତ ବ୍ୟବହାର ପ୍ରଦର୍ଶନ କରି ସଚେତନ କରାଇବେ ସେ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଛି।
ଦେଶରେ ବିଭିନ୍ନ ଧାର୍ମିକ ସ୍ଥଳୀ, ମନ୍ଦିର ସମେତ ବିଭିନ୍ନ ଧର୍ମରେ ଉପାସନା ସମୟରେ ପୋଷାକ ପରିଧାନ ଉପରେ ଗୁରୁତ୍ୱ ଦିଆଯାଇଛି। ଚାରିଧାମ ମଧ୍ୟରୁ ଶ୍ରେଷ୍ଠ ଧାମ ଶ୍ରୀମନ୍ଦିରରେ ମଧ୍ୟ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ଉପରେ ଗୁରୁତ୍ୱ ଦିଆଯାଇଛି। ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ସମ୍ପର୍କରେ ସେମାନେ ଯାତ୍ରୀ ତଥା ପର୍ଯ୍ୟଟକଙ୍କୁ ସଚେତନ କରାଇବେ। ଆଚାରଣ, ଉଚ୍ଚାରଣ ଓ ବ୍ୟବହାର ଠିକ୍ ରଖିବା ସହ କାହାକୁ ଜବରଦସ୍ତ କରିବେ ନାହିଁ ବୋଲି କୁହାଯାଇଛି।