କଟକ ବଡ ମେଡିକାଲରେ ଆରମ୍ଭ ହେଲା ଇକ୍ମୋ ଚିକିତ୍ସା । ଗତକାଲି ରାତିରେ ଏହି ଚିକିତ୍ସା ଆରମ୍ଭ ହୋଇଛି । କଟକ ନିଶ୍ଚିନ୍ତକୋଇଲି ଅଞ୍ଚଳର ଜଣେ ମହିଳା କରୋନା ଆକ୍ରାନ୍ତ ହୋଇ କିଛିଦିନ ତଳେ ଏସସିବିରେ ଭର୍ତ୍ତି ହୋଇଥିଲେ । ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିଲା। ତାଙ୍କୁ ଗତକାଲି ରାତିରେ ଏସ୍ସିବି କାର୍ଡିଓଥୋରାସିସ ବିଭାଗକୁ ସ୍ଥାନାନ୍ତରିତ କରାଯାଇ ତାଙ୍କର ଇକମୋ ଚିକିତ୍ସା ଆରମ୍ଭ କରାଯାଇଛି । ଇକମୋ ଚିକିତ୍ସା ଆବଶ୍ୟକ ରୋଗ ଚୟନ ପାଇ ଏକ ଡ଼ାକ୍ତରୀ ଟିମ୍ ଗଠନ କରାଯାଇଛି । ଦିନକ ପୂର୍ବରୁ ଗତ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସସିବି ମେଡିକାଲରେ ୯ଟି ଇକମୋ ମେସିନ୍ରେ ଉଦଘାଟନ କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପୂର୍ବ ଭାରତର ଇକମୋ ହବ୍ ହେବ କଟକ ଏସ୍ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍ । ଆଜି ଏଠାରେ ଇକ୍ମୋ ମେସିନ୍ର ଉଦ୍ଘାଟନ କରିବା ଅବସରରେ ଏହି କଥା କହିଛନ୍ତି । ଏହା ସହିତ ରାଜ୍ୟ ସରକାର ଏଠାରେ ମାଗଣାରେ ଇକମୋ ଚିକିତ୍ସା ସେବା ଯୋଗାଇ ଦେବେ । ସେ ଆହୁରି କହିଥିଲେ, ତୃତୀୟ ଲହର ମୁକାବିଲା ପାଇଁ ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ। କୋଭିଡ଼ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପଡ଼ିବ । ନିଜେ ସୁରକ୍ଷିତ ରହିବା ସହ ପିଲାମାନଙ୍କୁ ସୁରକ୍ଷିତ ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କରୋନା ଦ୍ୱିତୀୟ ଲହର ପିକ୍ ସମୟରେ ଅନେକ ରୋଗୀଙ୍କ ପାଇଁ ଇକ୍ମୋ ଚିକିତ୍ସା ଆବଶ୍ୟକ ପଡ଼ିଥିଲା। ଓଡ଼ିଶାରେ ଏ ସୁବିଧା ନଥିବାରୁ ରୋଗୀଙ୍କୁ ଇକ୍ମୋ ଚିକିତ୍ସା ପାଇଁ ବାହାରକୁ ଯିବାକୁ ପଡୁଥିଲା। ବିଶେଷ କରି ହାଇଦ୍ରାବାଦ ଓ କୋଲକାତାକୁ ଚିକିତ୍ସା ପାଇଁ ନିଆଯାଉଥିଲା। ଏହା ଖୁବ୍ ବ୍ୟୟବହୁଳ ଥିଲା । ଏପରିକି ରୋଗୀଙ୍କୁ ନେବା ପାଇଁ ଏୟାର ଲିପ୍ଟିଂର ଆବଶ୍ୟକ ପଡୁଥିଲା।