ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ
ମୁମ୍ୱାଇ: ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ। ବିଜେପି ନେତା ଦେବେନ୍ଦ୍ର ଫଡନବିସ ଗୁରୁବାର ଏହି ଘୋଷଣା କରିଛନ୍ତି। ଗୁରୁବାର ସଂଧ୍ୟା ୭.୩୦ରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।ଏହାସହ ସେ ରାଜ୍ୟ କ୍ୟାବିନେଟରୁ ବାହାରେ ରହିବେ ବୋଲି ଘୋଷଣା କରିଛନ୍ତି। ଦେବେନ୍ଦ୍ର ଫଡନବିସ ସାମ୍ୱାଦିକ ସମ୍ମିଳନୀ କରି କହିଛନ୍ତି, ୨୦୧୯ ନିର୍ବାଚନରେ ଆମକୁ ବହୁ ମତ ମିଳିଥିଲା। କିନ୍ତୁ ଶିବସେନା ବାଲାସାହେବ ଠାକରେଙ୍କ ବିଚାରଧାରା ଭୁଲି କଂଗ୍ରେସ ଏବଂ ଏନସିପି ସହ ମିଶି ସରକାର ଗଠନ କରିଥିଲେ। ବାଲାସାହେବ ଠାକରେ ସାରା ଜୀବନ ଏହି ଦୁଇ ଦଳ ବିରୋଧରେ ଲଢିଥିଲେ। ଏହା ପରେ ବି ଉଦ୍ଧବ ଠାକରେ ତାଙ୍କ ସହ ମେଣ୍ଟ କରି ମହା ବିକାଶ ଅଘାଡି ସରକାରରେ ସାମିଲ ହୋଇଥିଲେ। ଏହି ସମୟରେ ବହୁ ଭ୍ରଷ୍ଟାଚାର ହୋଇଛି ଏବଂ ପ୍ରଥମ ଥର ପାଇଁ ମହାରାଷ୍ଟ୍ର ଇତିହାସରେ ଦୁଇ ଜଣ ମନ୍ତ୍ରୀ ଜେଲ ଯାଇଛନ୍ତି। ସେ କହିଛନ୍ତି ବାଲାସାହେବ ଠାକରେ ଦାଉଦର ବିରୋଧୀ ଥିଲେ କିନ୍ତୁ ଏହି ସରକାରର ଜଣେ ମନ୍ତ୍ରୀ ତାଙ୍କ ସହ ସମ୍ପର୍କରେ ଥିଲେ। ଏହା ପୂର୍ବରୁ ଆଜି ଏକନାଥ ସିନ୍ଦେ ଗୋଆରୁ ମୁମ୍ୱାଇରେ ପହଞ୍ଚି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ଘରେ ପହଞ୍ଚିଥିଲେ। ପରେ ଦୁହେଁ ରାଜ୍ୟପାଳଙ୍କୁ ଭେଟିବା ପାଇଁ ଯାଇଥିଲେ । ଏକନାଥ ସିନ୍ଦେ ଏକାକୀ ମୁମ୍ୱାଇ ପହଞ୍ଚିଥିବା ବେଳେ ଶିବସେନାର ଅନ୍ୟ ବିଦ୍ରୋହୀ ବିଧାୟକ ଏବେ ବି ଗୋଆର ତାଜ ହୋଟେଲରେ ଅଛନ୍ତି । ବିଜେପି ସୂତ୍ର ଅନୁସାରେ ବିଜେପିରୁ ୨୮ ଜଣ ମନ୍ତ୍ରୀ ହୋଇପାରନ୍ତି । ଅନ୍ୟପଟେ ଏକାନାଥ ସିନ୍ଦେଙ୍କ ଗୋଷ୍ଠୀରୁ ୧୩ ଜଣଙ୍କୁ ମନ୍ତ୍ରୀ କରାଯାଇପାରେ। ଏଥିରେ ୮ ଜଣଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ଏବଂ ୫ ଜଣଙ୍କୁ ରାଷ୍ଟ୍ର ମନ୍ତ୍ରୀ ଭାବେ ପାହ୍ୟା ଦିଆଯାଇପାରେ।