Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଦେଶରେ କୋଇଲା ଅଭାବରୁ ୧୨ ରାଜ୍ୟରେ ବିଜୁଳି ସଙ୍କଟ

ବିଜୁଳି ଚାହିଦା ବଢୁଥିବାବେଳେ ଶକ୍ତି ଉତ୍ପାଦନ ପାଇଁ କୋଇଲାର ଘୋର ସଙ୍କଟ ଦେଖିବାକୁ ମିଳିଛି ।

ନୂଆଦିଲ୍ଲୀ : ସାରା ଦେଶରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଏଥିଯୋଗୁଁ ବିଜୁଳିର ଚାହିଦା ବଢ଼ିବାରେ ଲାଗିଛି । ବିଜୁଳି ଚାହିଦା ବଢୁଥିବାବେଳେ ଶକ୍ତି ଉତ୍ପାଦନ ପାଇଁ କୋଇଲାର ଘୋର ସଙ୍କଟ ଦେଖିବାକୁ ମିଳିଛି । ଗତ କିଛିଦିନ ହେବ ଏପରି ଅବସ୍ଥା ଲାଗି ରହିଛି । କୋଇଲା ଅଭାବ ଯୋଗୁଁ ୧୨ ରାଜ୍ୟରେ ବିଜୁଳି ସଙ୍କଟ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ବଡ଼ ଧରଣର ପଦକ୍ଷେପ ଗ୍ରହଣ କରିଛନ୍ତି । କୋଇଲା ବୋଝେଇ ଟ୍ରେନ୍‌ ବା ମାଲ୍‌ବାହୀ ଟ୍ରେନ୍‌ର ଗତିକୁ ତ୍ୱରାନ୍ୱିତ କରିବା ପାଇଁ ଭାରତୀୟ ରେଳ ବିଭାଗ ପକ୍ଷରୁ ୪୨ଟି ଯାତ୍ରୀବାହୀ ଟ୍ରେନ୍‌କୁ ବାତିଲ କରିଦିଆଯାଇଛି । ସେହିପରି ଆଗକୁ ମଧ୍ୟ କୋଇଲା ଚାଲାଣ ତ୍ୱରାନ୍ୱିତ କରିବା ପାଇଁ ଆହୁରି ଅନେକ ଯାତ୍ରୀବାହୀ ଟ୍ରେନ୍‌କୁ ବାତିଲ କରାଯିବା ନେଇ ସୂଚନା ଦେଇଛି ରେଳବିଭାଗ । ରେଳବାଇ ପକ୍ଷରୁ ସମଗ୍ର ଦେଶରେ କୋଇଲା ସଙ୍କଟ ଦୂର ପାଇଁ ମୋଟ୍‌ ୬୭୦ଟି ପାସେଞ୍ଜର୍ ଓ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ବାତିଲ କରାଯିବାର ଯୋଜନା ରଖାଯାଇଛି ବୋଲି ରେଳବାଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥିମଧ୍ୟରୁ ୫୦୦ ଟି ହେଉଛି ଏକ୍ସପ୍ରେସ୍ ଟ୍ରେନ୍ । ମେ ୨୪ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ । ଦେଶର ବିଭିନ୍ନ ଥର୍ମାଲ ପାୱାର ପ୍ଲାଣ୍ଟରେ କୋଇଲା ଅଭାବରୁ ଶକ୍ତି ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । ଏହାକୁ ଦୃଷ୍ଟିରେ ରଖି କୋଇଲା ଯୋଗାଣକୁ ଜୋର୍‌ଦାର କରାଯାଉଛି । ରେଳବିଭାଗ ପକ୍ଷରୁ ଦୈନିକ ହାରାହାରି ୪୦୦ ବଗିରେ କୋଇଲା ପରିବହନ କରାଯାଉଛି । ଏହା ୫ ବର୍ଷ ମଧ୍ୟରେ ସର୍ବାଧିକ ବୋଲି କୁହାଯାଉଛି । ସେହିପରି ଜାତୀୟ ଟ୍ରାନ୍ସପୋର୍ଟର ୪୧୫ ବଗି ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେବା ପରେ କୋଇଲା ପରିବହନ ଅଧିକ ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି । ପ୍ରତି ବଗିରେ ୩୫ଶହ ଟନ୍ କୋଇଲା ପରିବହନ କରାଯାଇପାରିବ । ଏହି କାର୍ଯ୍ୟକ୍ରମ ୨ ମାସ ଧରି ଚାଲୁ ରହିବ । ଜୁଲାଇ ଅଗଷ୍ଟରେ ବର୍ଷା ଯୋଗୁଁ ପାୱାର ପ୍ଲାଣ୍ଟଗୁଡ଼ିକ ଯେପରି କୋଇଲା ସଙ୍କଟର ସମ୍ମୁଖୀନ ନ ହୁଅନ୍ତି ସେନେଇ କେନ୍ଦ୍ର ସରକାର ସମସ୍ତ ପ୍ରକାରର ଆଗୁଆ ପଦକ୍ଷେପ ନେବେ ବୋଲି ଯୋଜନା ପ୍ରସ୍ତୁତ କରିଛନ୍ତି । ସିଇଏ ସୂଚନା ଦେଇଛି ଯେ, ଦେଶର ୧୬୫ଟି ତାପଜ ବିଦ୍ୟୁତ୍‌କେନ୍ଦ୍ର ମଧ୍ୟରୁ ୫୬ଟିରେ ୧୦ ପ୍ରତିଶତ କିମ୍ବା ତା’ଠାରୁ କମ୍ କୋଇଲା ରହିଛି । ସେହିପରି ୨୬ଟି ତାପଜ ବିଦ୍ୟୁତ୍‌ କେନ୍ଦ୍ରରେ ୫%ରୁ କମ୍ କୋଇଲା ଗଚ୍ଛିତ ରହିଥିବାବେଳେ ଠିକ୍ ସମୟରେ କୋଇଲା ଯୋଗାଇ ଦିଆନଗଲେ ବିଜୁଳି ସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଛି । ନିୟମ ଅନୁଯାୟୀ, କୌଣସି ପାୱାର ପ୍ଲାଣ୍ଟରେ ୧୫ ଦିନରୁ କମ୍ ଷ୍ଟକ୍‌ ରହିବା ଠିକ୍ ନୁହେଁ । କିନ୍ତୁ ଅଧିକାଂଶ ପ୍ଲାଣ୍ଟରେ କୋଇଲା ଅଭାବକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କୋଇଲା ପରିବହନକୁ ତ୍ୱରାନ୍ୱିତ କରିଛନ୍ତି । ଯାତ୍ରୀବାହୀ ଟ୍ରେନ୍ ବାତିଲ କରାଯାଇଥିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଛି ।

 

Show More

Related Articles

Back to top button