ବିଦ୍ୟୁତ ସଂଯୋଗ ହୋଇନି, କିନ୍ତୁ ଗାଁ ଲୋକଙ୍କ ପାଖକୁ ଆସିଛି ୬୦ ହଜାର ଟଙ୍କାର ବିଲ୍

ଶାମଲି: ଗୋଟିଏ ଅଜବ ଘଟଣା ସାମ୍ନାକୁ ଆସିଛି। ବିଦ୍ୟୁତ ସଂଯୋଗ ହୋଇନି। କିନ୍ତୁ ଲୋକଙ୍କୁ ବିଜୁଳି ବ୍ୟବହାର କରିଥିବାରୁ ଆସିଛି ବିଲ୍। ହଜାରେ କି ଦୁଇ ହଜାର ନୁହେଁ, ୬୦ ହଜାର ଟଙ୍କା ଯାଏ ବିଲ୍ ପୈଠକ କରିବାକୁ କର୍ତ୍ତୃପକ୍ଷ ନୋଟିସ କରିଛନ୍ତି। ଉତ୍ତର ପ୍ରଦେଶର ଶାମଲି ଜିଲ୍ଲା ଅନ୍ତର୍ଗତ ଝିନଝାହାନା ଅଞ୍ଚଳରେ ଥିବା ୧୨ଟି ଗାଁର ଲୋକଙ୍କ ସହ ଏପରି ଘଟଣା ପ୍ରଶାସନର ଅସଲ ଚେହେରାକୁ ପଦାରେ ପକାଇଛି।
ମିଳିଥିବା ସୂଚନା ଅନୁଯାୟୀ, ବିଜୁଳି ସଂଯୋଗ ହୋଇ ନଥିଲେ ମଧ୍ୟ ଏହି ୧୨ଟି ଗାଁର ଲୋକମାନେ ଏବେ ୩୦ରୁ ୬୦ ହଜାର ଟଙ୍କାର ବିଲ୍ ପାଇବା ଆରମ୍ଭ କରିଛନ୍ତି। ଏପରି ଘଟଣା ବିଲ ପାଇଥିବା ଲୋକଙ୍କୁ କ୍ରୋଧିତ ଓ ମର୍ମାହତ କରିଛି। ଗାଁର ଲୋକମାନେ ଏବେ କ’ଣ କରିବେ ଓ କାହା ନିକଟରେ ଅଭିଯୋଗ କରିବେ, ସେକଥା ମଧ୍ୟ ସେ ଜାଣିପାରୁନାହାନ୍ତି।
କିଛି ବର୍ଷ ତଳେ ପ୍ରଥମେ ବିଲ ପାଇଥିବା ଲୋକଙ୍କ ଘରେ ଇଲେକ୍ଟ୍ରିସିଟି ମିଟର ଲଗାଯାଇଥିଲା। କିଛି ଘରେ ୧୦ ବର୍ଷ ତଳୁ ହିଁ ମିଟର ଲଗାଯାଇଛି। ମିଟର ଲଗାଇବା ବେଳେ ଅଧିକାରୀମାନେ କହିଥିଲେ ଯେ, ସମସ୍ତଙ୍କୁ ବିଜୁଳି ଦିଆଯିବ ଓ ପାୱାର ମିଟର ବାବଦରେ କୌଣସି ପ୍ରକାରର ଟଙ୍କା ଆଦାୟ କରାଯିବ ନାହିଁ।
କିନ୍ତୁ ପ୍ରଶାସନର ଏହି ପ୍ରତିଶ୍ରୃତି ପାଣିର ଗାର ହୋଇଥିଲା। ମିଟର ସିନା ଲଗାଇ ଦିଆଗଲା, ହେଲେ ଏଯାଏ ସେମାନଙ୍କୁ ବିଜୁଳି ମିଳିଲାନି। ବର୍ତ୍ତମାନ ସମସ୍ତଙ୍କୁ ଚକିତ କରି ୧୨ ଗାଁର ଅନେକ ଲୋକଙ୍କୁ ବିଜୁଳି ବିଲ୍ ପୈଠ କରିବାକୁ କୁହାଯାଇଛି। ଶାମଲି ଜିଲ୍ଲାର ଖୋକସା, ଆଲ୍ଲାଉଦ୍ଦିନପୁର, ଦୁଧିଲି, ଡେରା ଭାଗିରଥ, ନୂଆ ଗାଁ ଭଳି ୧୨ଟି ଗାଁର ଅନେକ ଲୋକଙ୍କ ନାଁରେ ୩୦ରୁ ୬୦ ହଜାର ଟଙ୍କା ଯାଏ ବିଜୁଳି ବିଲ୍ ଆସିଛି।