
ନୂଆଦିଲ୍ଲୀ:ଡ୍ରାଇଭରଙ୍କ ନିଦ ପାଇଁ ଚାଲିଗଲା ୧୧ ଜଣଙ୍କ ଜୀବନ । ଏଭଳି ଦୂର୍ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ । ଏହି ଦୁର୍ଘଟଣାରେ ୧୧ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଡ୍ରାଇଭରଙ୍କର ବେପରୁଆ ଗାଡ଼ିଚାଳନା ଯୋଗୁଁ ଏମିତି ଘଟିଥିବା କୁହାଯାଉଛି ।
ମିଳିଥିବା ସୂଚନା ଅନୁଯାୟୀ , ଲଖୀମପୁର ଜିଲ୍ଲାର ଗୋଲା ଅଞ୍ଚଳର ଗୋଟିଏ ପରିବାରର ସଦସ୍ୟମାନେ ହରିଦ୍ୱାରରୁ ଗଙ୍ଗାସ୍ନାନ କରି ନିଜ ଘରକୁ ଫେରୁଥିଲେ । ଏହି ସମୟରେ ଗଜରୌଲା ଅଞ୍ଚଳର ହାଇୱେ ସ୍ଥିତ ମାଲା ମୋଡ଼ ପାଖରେ ଅଚାନକ ଗାଡ଼ି ଚାଳକଙ୍କୁ ନିଦ ଆସିଯାଇଥିଲା । ଏହା ପରେ ପିକଅପଟି ଏକ ଗଛକୁ ପିଟିବା ସହ ଓଲଟି ପଡ଼ିଥିଲା । ତେବେ ଏହାପରେ ଘଟଣାସ୍ଥଳରେ ହିଁ ୮ ଜଣଙ୍କର ମୃତ୍ୟୁ ହୋଇଥିଲା । ୯ ଆହତଙ୍କୁ ମେଡିକାଲ ନିଆଯାଇଥିବା ବେଳେ ପରେ ୩ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଓ ୨ ଜଣ ଶିଶୁ ରହିଥିଲେ । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗ୍ୟ ଆଦିତ୍ୟନାଥ ଗଭୀର ଦୁଃଖପ୍ରକାଶ କରିଛନ୍ତି ।