ବିଶ୍ୱର ସବୁଠୁ ବଡ ଧନୀ ବ୍ୟକ୍ତି କୁହାଯାଉଥିବା ଏଲନ୍ ମସ୍କ ସଂପୂର୍ଣ୍ଣ ରୂପେ ଟ୍ୱିଟର କିଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ମସ୍କଙ୍କ ଏହି ଘୋଷଣା ଟ୍ୱିଟର ନିବେଶକଙ୍କ ଚିନ୍ତା ବଢାଇଛି। ଟ୍ୱିଟରର ୧୦୦% ଅଂଶଧନ କିଣିବାକୁ ମସ୍କ ପ୍ରସ୍ତାବ ଦେଇଥିବାବେଳେ ଶେୟାର ପିଛା ନଗଦ ୫୪.୨୦ ଡଲାର (ପ୍ରାୟ ୪,୧୨୫ ଟଙ୍କା) ଦେବାକୁ ପ୍ରସ୍ତାବ ଦେଇଛନ୍ତି, ଯାହା ଟ୍ୱିଟରର ମୋଟ ସେୟାର ମୂଲ୍ୟ ପ୍ରାୟ ୪୩ ବିଲିୟନ ଡଲାର (ପ୍ରାୟ ୩ ଲକ୍ଷ କୋଟି ଟଙ୍କା) ଅଟେ। କିଛି ଦିନ ପୂର୍ବରୁ ଏଲନଙ୍କୁ ଟ୍ବିଟର ବୋର୍ଡରେ ସାମିଲ କରାଯିବାର ପ୍ରସ୍ତାବ ଦିଆଯାଇଥିବା ସତ୍ତ୍ୱେ ମଧ୍ୟ ସେ ବୋର୍ଡ ସଦସ୍ୟ ହେବାକୁ ମନା କରିଦେଇଥିଲେ ,କିନ୍ତୁ ବର୍ତ୍ତମାନ ଏଲନ ମସ୍କ ଟ୍ବିଟରର ବୋର୍ଡ ସଦସ୍ୟ ନ ହୋଇ ଏହାର ମାଲିକ ହେବାକୁ ଚାହୁଁଛନ୍ତି।
ଏଲୋନ୍ ମସ୍କ କହିଛନ୍ତି, ‘ମୁଁ ଟ୍ୱିଟରରେ ବିନିଯୋଗ କରିଛି କାରଣ ମୋର ବିଶ୍ୱାସ ଯେ ପ୍ଲାଟଫର୍ମ ସର୍ବଭାରତୀୟ ସ୍ତରରେ ମୁକ୍ତ ବକ୍ତବ୍ୟ ପାଇଁ ନିର୍ମିତ ଏବଂ ମୁଁ ଖୋଲା କଥାରେ ବିଶ୍ୱାସ କରେ, ଯାହା ଗଣତନ୍ତ୍ରର କାର୍ଯ୍ୟରେ ସାହାଯ୍ୟ କରେ। ତଥାପି, ଏଥିରେ ବିନିଯୋଗ କରିବା ପରେ, ମୁଁ ଅନୁଭବ କଲି ଯେ କମ୍ପାନୀ ବର୍ତ୍ତମାନର ପରିସ୍ଥିତିରେ ନିଜର ସାମାଜିକ ଅତ୍ୟାବଶ୍ୟକତାକୁ ପ୍ରକାଶ କରିବାକୁ ସମର୍ଥ ହେବ ନାହିଁ । ଟୁଇଟରକୁ ଏକ ଘରୋଇ କମ୍ପାନୀରେ ପରିଣତ କରିବାର ଆବଶ୍ୟକତା ରହିଛି ।
ଫଳସ୍ୱରୂପ, ମୁଁ ଟ୍ୱିଟରର ପ୍ରତିଟି ସେୟାର ପାଇଁ ୫୪.୨୦ ଡଲାର ଦେଇ ଟ୍ବିଟରର ୧୦୦% ଅଂଶଧନ କିଣିବାକୁ ଚାହୁଁଛି। ଏହି ଅଫର ହେଉଛି ମୋର ସର୍ବୋତ୍ତମ ଏବଂ ଅନ୍ତିମ ଅଫର। ଯଦି ଏହା ଗ୍ରହଣ କରାଯାଏ ନାହିଁ, ତେବେ ମୁଁ ଅଂଶୀଦାର ରହିବି କି ନାହିଁ, ତାହା ଉପରେ ପୁନର୍ବିଚାର କରିବି।
ଏହି ଡିଲରେ ଟ୍ୱିଟର କମ୍ପାନୀ ବର୍ତ୍ତମାନ ରାଜି ଅଛି କି ନାହିଁ ତାହା ଏ ପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ ।