ଓଡ଼ିଆ ବନାନ ଅନୁସାରେ ଏବେ ଲେଖା ହେବ ଇଂରାଜୀ ବନାନ,କଲେକ୍ଟରଙ୍କୁ ନିର୍ଦ୍ଦେଶ…

ଭୁବନେଶ୍ୱର : ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ଓଡ଼ିଶାର ବିଭିନ୍ନ ସ୍ଥାନର ଇଂରାଜୀ ବନାନରେ ସମାନତା ଆଣିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନର ନାମଫଳକ ଏବଂ ସାଇନ୍ବୋର୍ଡରେ ସରକାରଙ୍କ ଅନୁମୋଦିତ ସଂଶୋଧିତ ଇଂରାଜୀ ବନାନ ବ୍ୟବହାର କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିର୍ଦ୍ଦେଶ ଦେଇଛି।
ରବିବାର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସମସ୍ତ କଲେକ୍ଟରଙ୍କୁ ଚିଠି ଲେଖି ସେମାନଙ୍କ ଜିଲ୍ଲାର ସମସ୍ତ ସରକାରୀ ଅଫିସ ଓ ଅନୁଷ୍ଠାନର ନାମଫଳକ ଯାଞ୍ଚ କରିବାକୁ କହିଛନ୍ତି। ସରକାରଙ୍କ ଅନୁମୋଦିତ ବନାନ ଅନୁଯାୟୀ ନାମଫଳକଗୁଡ଼ିକୁ ସଂଶୋଧନ କରିବା ସହ ଏଥିରେ ସମାନତା ରଖିବାକୁ ନିର୍ଦ୍ଦେଶ ରହିଛି।
ଗତ ଜୁନ୍ ୨୨ ତାରିଖରେ ପ୍ରକାଶିତ ଓଡ଼ିଶା ସରକାରଙ୍କ ଗେଜେଟ୍ ବିଜ୍ଞପ୍ତି ଅନୁସାରେ, ସରକାରୀ ଅଫିସ ଓ ଅନୁଷ୍ଠାନଗୁଡ଼ିକୁ ଏକ ମାସ ମଧ୍ୟରେ ନାମଫଳକରେ ନୂଆ ବନାନ ବ୍ୟବହାର କରିବାକୁ କୁହାଯାଇଥିଲା। ଘରୋଇ ଓ ଅଣସରକାରୀ ଅନୁଷ୍ଠାନ ପାଇଁ ଛଅ ମାସ ସମୟ ଦିଆଯାଇଥିଲା।
ସଂଶୋଧିତ ବନାନ ଅନୁଯାୟୀ, Angul ବଦଳରେ “Anugola”, Balasore ବଦଳରେ “Baleshwar”, Kendrapara ବଦଳରେ “Kendrapada” ଏବଂ Cuttack ବଦଳରେ “Kataka” ଲେଖାଯିବ। ସେହିପରି ପୁରୁଣା “Jeypore” ଓ “Soro” ବନାନ ବଦଳରେ ସରକାରୀ ଅନୁମୋଦିତ “Jayapur” ଓ “Sora” ବ୍ୟବହାର କରିବାକୁ କୁହାଯାଇଛି।
କେତେକ ସରକାରୀ ଅଫିସରେ ଏବେ ମଧ୍ୟ ପୁରୁଣା ଇଂରାଜୀ ବନାନ ଥିବା ନାମଫଳକ ରହିଥିବା ସରକାରଙ୍କ ନଜରକୁ ଆସିବା ପରେ ଏହି ନିର୍ଦ୍ଦେଶ ଦିଆଯାଇଛି। ତେଣୁ ଜିଲ୍ଲାପାଳମାନେ ବ୍ୟକ୍ତିଗତ ଭାବେ ଏହାର ସମୀକ୍ଷା କରି ସମସ୍ତ ସରକାରୀ ପ୍ରତିଷ୍ଠାନରେ ନୂଆ ବନାନ ଲାଗୁ କରିବେ। ଏଥିସହ ଘରୋଇ ଓ ଅଣସରକାରୀ ଅନୁଷ୍ଠାନଗୁଡ଼ିକୁ ମଧ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ସଂଶୋଧିତ ବନାନ ଆପଣାଇବାକୁ ପ୍ରୋତ୍ସାହିତ କରିବାକୁ କୁହାଯାଇଛି।
ଏହି ନିଷ୍ପତ୍ତିର କାର୍ଯ୍ୟକାରିତାକୁ ବିଭାଗ ସର୍ବୋଚ୍ଚ ପ୍ରାଥମିକତା ଦେଇଛି। ନିଜ ଜିଲ୍ଲାରେ ଏହାର ଅଗ୍ରଗତି ସମ୍ପର୍କରେ ଏକ ସପ୍ତାହ ମଧ୍ୟରେ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ସମସ୍ତ କଲେକ୍ଟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।



