
ଜଣାଶୁଣା ଫିଲ୍ମ ଏବଂ ଥିଏଟର ଅଭିନେତ୍ରୀ ସ୍ୱାତିଲେଖା ସେନଗୁପ୍ତାଙ୍କ କୋଲକାତାରେ ଦେହାନ୍ତ ହୋଇଛି। ସ୍ୱାତିଲେଖା ସେନଗୁପ୍ତା ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। କିଡ୍ନୀ ସମ୍ବନ୍ଧୀୟ ସମସ୍ୟା ହେତୁ ସେ ସହରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ଏବଂ ଆଜି ୭୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହି ଖବର ଶୁଣି ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି।ଅନେକ ଫିଲ୍ମ, ଟେଲିଭିଜନ୍ ଏବଂ ଥିଏଟର ବ୍ୟକ୍ତିତ୍ୱ ଦିଗଜ ଅଭିନେତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏହାକୁ ଏକ ବଡ଼ କ୍ଷତି ବୋଲି କହିଛନ୍ତି । ବଙ୍ଗୀୟ ଥିଏଟର ପ୍ରତି ସ୍ୱାତିଲେଖା ଏବଂ ତାଙ୍କ ସ୍ୱାମୀ ରୁଦ୍ରପ୍ରସାଦ ସେନଗୁପ୍ତାଙ୍କ ଅବଦାନ ଅତୁଳନୀୟ। ରୁଦ୍ରପ୍ରସାଦ ଏବଂ ସ୍ୱାତିଲେଖାଙ୍କର ଏକ ଝିଅ ଅଛି । ତାଙ୍କ ନାମ ସୋହିନୀ ।
ସୋହିନୀ ମଧ୍ୟ ଜଣେ ଲୋକପ୍ରିୟ କଳାକାର ଏବଂ ତାଙ୍କର ଦୃଢ ଅଭିନୟ ପାଇଁ ସେ ଜଣାଶୁଣା । ସୋହିନୀ କହିଛନ୍ତି, “ମୋ ମା ଜଣେ ମହାନ ମଣିଷ ଏବଂ ଜଣେ ମହାନ କଳାକାର ଥିଲେ। ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ହୋଇ ରହିବ। ସେ ଜଣେ ସ୍ୱର୍ଣ୍ଣ ପଦକ ବିଜେତା ଥିଲେ। ସେ ଅନେକ ଲୋକଙ୍କୁ ସାହାଯ୍ୟ କରିଥିଲେ।”ସ୍ୱାତିଲେଖା ୧୯୭୦ ରେ ଏକ ଥିଏଟରରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ । ଏସି ବାନାର୍ଜୀଙ୍କ ନିର୍ଦ୍ଦେଶନାରେ ପ୍ରଡକ୍ସନ୍ସରେ ସ୍ୱାତିଲେଖା ଦମଦାର ଅଭନୟ ପ୍ରଦର୍ଶନ କରିଥିଲେ ଏବଂ ମନୋରଞ୍ଜନ ଜଗତ ପ୍ରତି ତାଙ୍କର ପ୍ରବୃତ୍ତି ଆରମ୍ଭ ହୋଇଥିଲା । ସେ ସତ୍ୟଜିତ୍ ରାୟଙ୍କ ‘ଘରେ ବଏରେ’, ନନ୍ଦିତା ରୟ-ଶିବୋପ୍ରସାଦ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ‘ବେଲା ଶେଷ’, ‘ବେଲାସୁରୁ’ ଏବଂ ରାଜ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶିତ, ‘ଧର୍ମଜୁଦ୍ଧ’ ଭଳି ଫିଲ୍ମରେ ଅଭିନୟ କରିଥିଲେ। ଅଭିନେତ୍ରୀ ଭାବରେ ଭାରତୀୟ ଥିଏଟରରେ ଅବଦାନ ପାଇଁ ସ୍ୱାତିଲେଖାଙ୍କୁ ପଶ୍ଚିମ ବଙ୍ଗ ନାଟ୍ୟ ଏକାଡେମୀ ପୁରସ୍କାର ଏବଂ ସଂଗୀତ ନାଟକ ଏକାଡେମୀ ପୁରସ୍କାର ୨୦୧୧ ରେ ପ୍ରଦାନ କରାଯାଇଥିଲା।