
ପୂର୍ବ ଅପେକ୍ଷା କୃଷକଙ୍କ ଆୟ ବଢ଼ିଛି। ୨୦୧୭-୧୮ ଆର୍ଥିକ ବର୍ଷ ତୁଳନାରେ ୨୦୨୧-୨୨ ଆର୍ଥକ ବର୍ଷରେ କୃଷକଙ୍କ ଆୟ ବଢ଼ିଛି। ତେବେ ସବୁ ରାଜ୍ୟର ଚାଷୀଙ୍କ ଆୟ ନୁହେଁ କି ସବୁ ଫସଲରେ ନୁହେଁ, କେତେକ ନିର୍ଦ୍ଦିଷ୍ଟ ରାଜ୍ୟ ଓ ନିର୍ଦ୍ଦିଷ୍ଟ ଫସଲରେ ଚାଷୀଙ୍କ ଆୟ ବଢ଼ିଛି ବୋଲି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ରିପୋର୍ଟ ପ୍ରକାଶ କରିଛି। ଅନ୍ୟ କେତେକ ମାମଲାରେ ଏହା ୧.୩-୧.୭ ଗୁଣା ବୃଦ୍ଧି ହୋଇଛି ବୋଲି ଏସ୍ବିଆଇ ରିପୋର୍ଟରେ କହିଛି। ତେବେ କେସ୍ କ୍ରପ୍ସ(ବିକ୍ରି ତଥା ରପ୍ତାନୀ କରିବା ପାଇଁ କରାଯାଉଥିବା ଚାଷ) ତୁଳନାରେ ନନ୍ କେସ୍ କ୍ରପ୍ସ(ପରିବାର ପୋଷଣ ପାଇଁ ହେଉଥିବା ଚାଷ)ରେ ଅଧିକ ଆୟ ହୋଇଛି।
ସେହିପରି ସମାନ ଅବଧି ମଧ୍ୟରେ ମହାରାଷ୍ଟ୍ରରେ ସୋୟାବିନ ଓ କର୍ଣ୍ଣାଟକରେ ତୁଳା ଚାଷରେ ବି ଆୟ ଦୁଇଗୁଣା ହୋଇଛି। କୃଷକଙ୍କ ଆୟ ଆକଳନ ରିପୋର୍ଟ ନେଇ ଏସ୍ବିଆଇ କହିଛି “ ଫସଲ ଉତ୍ପାଦନ, ଏହାର ବିକ୍ରି ବଜାର ଓ ବ୍ୟବସାୟ ସମ୍ଭବାନକୁ ନେଇ ସମସ୍ତ ବର୍ଗରେ ଏହି ଆୟ ଆକଳନ କରାଯାଇଛି। ଏଥିରେ କ୍ଷୁଦ୍ରଠାରୁ ବଡ଼ ଚାଷୀଙ୍କ ଆୟ ବି ଆକଳନ କରାଯାଇଛି।”