
କଟକ: କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ଖୁଣ୍ଟକଟା ନିକଟ ତାରିଣୀ ଛକ ପାଖରେ ରବିବାର ଅପରାହ୍ନରେ ଘଟିଥିବା ଏକ ଭୟଙ୍କର ବାଇକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ବାଙ୍କୀ ଥାନା ଅନ୍ତର୍ଗତ ଘୋଡ଼ାବର ଗ୍ରାମର ଲିଟୁ ନାଏକ (୨୭), ରାଜେଶ ନାଏକ (୨୦) ଏବଂ ଖୁଣ୍ଟକଟାର ଚନ୍ଦନ ନାଏକ ଏକ ୟାମାହା ଏଫଜେଡ୍ ବାଇକରେ ଆଠଗଡ଼ ଆଡକୁ ଆସୁଥିଲେ। ତାରିଣୀ ଛକ ନିକଟରେ ବାଇକଟି ଭାରସାମ୍ୟ ହରାଇ ରାସ୍ତା କଡ଼ର ସୁରକ୍ଷା ବାଡ଼ରେ ଧକ୍କା ଦେବା ପରେ ଏକ ଗଛରେ ପିଟି ହୋଇଯାଇଥିଲା।
ଘଟଣାସ୍ଥଳରେ ଲିଟୁ ନାଏକଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଆହତ ରାଜେଶ ଓ ଚନ୍ଦନଙ୍କୁ ଉଦ୍ଧାର କରି ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଚିକିତ୍ସା ପାଇଁ କଟକ ନେଉଥିବା ବେଳେ ରାସ୍ତାରେ ଚନ୍ଦନ ନାଏକଙ୍କ ମୃତ୍ୟୁ ହୋଇଥିଲା।
ଘଟଣାକୁ ନେଇ ଆଠଗଡ଼ ଥାନାରେ ମାମଲା ରୁଜୁ ହୋଇଥିବାବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି।



