ଶ୍ରୀହରିକୋଟା: ଭାରତର ପ୍ରଥମ ସୌର ଅଭିଯାନ ‘ଆଦିତ୍ୟ ଏଲ୍1’ ମହାକାଶ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ଭାରତୀୟ ମହାକାଶ ଗଗେଷଣା ସଙ୍ଗଠନ (ଇସ୍ରୋ) ଶନିବାର ଦିନ ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ-ଏଲ1 ମହାକାଶ ଯାନକୁ ଉତକ୍ଷେପଣ କରିଛି । ଏହି ଉତକ୍ଷେପଣ ସଫଳ ହୋଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି ।
‘ଆଦିତ୍ୟ- L1’ ସୂର୍ଯ୍ୟଙ୍କ ପରିମଣ୍ଡଳର ସୁଦୂର ପର୍ଯ୍ୟବେକ୍ଷଣ ଏବଂ ପୃଥିବୀଠାରୁ ପ୍ରାୟ 15 ଲକ୍ଷ କିଲୋମିଟର ଦୂରରେ ଥିବା ‘L1’ (ସୂର୍ଯ୍ୟ-ପୃଥିବୀ ଲେଗ୍ରୋଜିୟନ ପଏଣ୍ଟ) ରେ ସୌର ପବନର ବାସ୍ତବତା ପର୍ଯ୍ୟବେକ୍ଷଣ କରିବ । ଆଦିତ୍ୟ ଏଲ-1 ସୂର୍ଯ୍ୟ ଉପରେ ଅଧ୍ୟୟନ କରୁଥିବା ପ୍ରଥମ ମହାକାଶ ଯାନ ଅଟେ ।
ପୂର୍ବାହ୍ନ 11ଟା 50 ମିନିଟ ସମୟରେ ଇସ୍ରୋର ସବୁଠାରୁ ନିର୍ଭରଯୋଗ୍ୟ ପୋଲାର ସାଟେଲାଇଟ୍ ଲଞ୍ଚ ଯାନ (ପିଏସଏଲଭି) ଜରିଆରେ ଶ୍ରୀହରିକୋଟା ସ୍ପେସ ସେଣ୍ଟରରୁ ଏହାକୁ ଉତକ୍ଷେପଣ କରାଯାଇଛି ।
‘ଆଦିତ୍ୟ- L1’ 125 ଦିନରେ ପ୍ରାୟ 15 ଲକ୍ଷ କିଲୋମିଟର ଦୂର ଯାତ୍ରା କରିବ ଏବଂ ଲେଙ୍ଗ୍ରିଜିୟନ ପଏଣ୍ଟ ‘L1’ ଚାରିପାଖରେ ହାଲୋ କକ୍ଷପଥରେ ସ୍ଥାପନ କରାଯିବା ନେଇ ଆଶା କରାଯାଉଛି । ଏହି କକ୍ଷପଥ ସୂର୍ଯ୍ୟର ସବୁଠାରୁ ନିକଟତର କକ୍ଷପଥ ବୋଲି ମନେ କରାଯାଇଥାଏ ।
ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସୌର ବାତାବରଣରେ ଗତିଶୀଳତା, ସୂର୍ଯ୍ୟଙ୍କ ପରିମଣ୍ଡଳରେ ଉଷ୍ଣତା, ସୂର୍ଯ୍ୟଙ୍କ ପୃଷ୍ଠରେ ସୌର ଭୂକମ୍ପ କିମ୍ବା କୋରୋନଲ ମାସ ଇଞ୍ଜେକସନ, ସୂର୍ଯ୍ୟ ପ୍ରଜ୍ୱଳନ ସମ୍ପର୍କିତ ଗତିବିଧି ଏବଂ ଏହାର ବିଶେଷତ୍ବ ସହିତ ପୃଥିବୀର ନିକଟସ୍ଥ ଅଞ୍ଚଳରେ ପାଣିପାଗ ସମ୍ପର୍କିତ ସମସ୍ୟାକୁ ବୁଝିବା ।
ଆଦିତ୍ୟ ଏଲ-1 ସହିତ ସାତୋଟି ପେଲୋଡ୍ ଅଛି । ଏଥିମଧ୍ୟରୁ ଚାରିଟି ସୂର୍ଯ୍ୟର କିରଣ ଉପରେ ଅନୁଧ୍ୟାନ କରିବ । ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-3ର ସଫଳ ଲ୍ୟାଣ୍ଡିଂରେ ଇସ୍ରୋକୁ ସଫଳତା ମିଳିବା ଏହି ସୌର ମିଶନ ଆରମ୍ଭ କରିଥିଲା ।