
ଆଠଗଡ଼ : ଆଜି ହେଉଛି ପ୍ରଥମ ପଞ୍ଚକ। ଶ୍ରଦ୍ଧାଳୁଙ୍କ ଗହଳଚହଳରେ ଯେଉଁ ଧବଳେଶ୍ୱର ପୀଠ ପ୍ରତିବର୍ଷ ପଞ୍ଚକରେ ଫାଟି ପଡ଼ୁଥାଏ, ତାହା ଆଜି ଖାଁ ଖାଁ। ବାବାଙ୍କ ନୀତି ନିୟମ ନିର୍ଦ୍ଧାରିତ ସମୟ ଅନୁଯାୟୀ ଚାଲୁଛି, ମନ୍ତ୍ର ଧ୍ୱନୀ ହେଉଛି, ହେଲେ ନାହାନ୍ତି ଭକ୍ତ। ଭକ୍ତମାନେ ଚଳିତ ବର୍ଷ ବାବାଙ୍କ ଦର୍ଶନ ଚର୍ମ ଚକ୍ଷୁରେ ନୁହେଁ ବରଂ ଏଲଇଡି ପରଦାରେ କରୁଛନ୍ତି ଦର୍ଶନ। ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ଝୁଲା ପୋଲକୁ ବିପଦସଙ୍କୁଳ ଦର୍ଶାଇ ପୀଠ ଚାରିପଟେ ଜାରି ହୋଇଛି ୧୪୪ ଧାରା। ତେଣୁ ଏବେ ସ୍ୱଚକ୍ଷୁରେ ଭକ୍ତଙ୍କୁ ବାବାଙ୍କ ଦର୍ଶନ ମନା ହୋଇଥିବା ବେଳେ ଏଥିନିମନ୍ତେ ଏଲଇଡି ପରଦାର ବ୍ୟବସ୍ଥା କରାଯାଇଛି। ଆଜି ପଞ୍ଚକ ପ୍ରଥମ ଦିନରେ ରାତି ୩ ଟାରୁ ପହଡ଼ ଖୋଲାଯାଇ ସୁବାସିତ ଜଳରେ ବାବାଙ୍କୁ ସ୍ନାନ କରାଯାଇଛି। ଏହାପରେ ମଙ୍ଗଳ ଆଳତୀ ପରେ ଖେଚୁଡ଼ି ଭୋଗ ଲାଗି କରାଯାଇଥିଲା। ପରେ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଦ୍ୱାର ଫିଟାଯାଇଥିଲା। ହେଲେ ଭକ୍ତଙ୍କ ବିନା ଖାଁ ଖାଁ ପୀଠ । ପ୍ରଶାସନର ବାରଣ ସତ୍ତ୍ୱେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆଜି ସକାଳୁ ଧବଳେଶ୍ଵର ପୀଠମୁହାଁ ହୋଇଛନ୍ତି। ହେଲେ ପୁଲିସ୍ ବାଟ ଜଗି ବସିଥିବା ବେଳେ ଶ୍ରଦ୍ଧାଳୁ ଓ କାର୍ତ୍ତିକ ବ୍ରତଧାରୀମାନେ ମୁଖ୍ୟ ରାସ୍ତା ଗେଟ୍ କଡରେ ଧବଳେଶ୍ଵରଙ୍କ ଫାଟକ ପାଖରେ ଲାଗିଥିବା ଏଲଇଡି ପରଦାରେ ବାବାଙ୍କ ଦର୍ଶନ କରୁଛନ୍ତି। ହେଲେ ସେଠି କୌଣସି ପ୍ରକାର ପୂଜାର୍ଚ୍ଚନା କିମ୍ବା ଭୋଗ ଲାଗିକୁ ବାରଣ କରାଯାଇଛି । ଭକ୍ତମାନେ ଚାହିଁଲେ ସେଇଠୁ ପୂଜକଙ୍କ ମାଧ୍ୟମରେ ଭୋଗ ଠାକୁରଙ୍କ ପାଖକୁ ପଠାଇ ପାରିବେ। ଗଜଭୋଗ ନିଜସ୍ୱ ଉଦ୍ୟମରେ ସେବକଙ୍କ ଘରୁ ସଂଗ୍ରହ କରିବେ। ଅଧିକ ଭକ୍ତଙ୍କ ଭିଡ଼ ହୁଏ, ଆଉ ଏକ LED ଲଗାଇବା ନିମନ୍ତେ ପ୍ରଶାସନ ପ୍ରସ୍ତୁତ ଥିବା କହିଛନ୍ତି ଉପଜିଲ୍ଲାପାଳ। ତା’ସହ ପୂର୍ବଭଳି ଯାତ୍ରା ଚାଲିବ ବୋଲି ମଧ୍ୟ ସେ କହିଛନ୍ତି। ତେବେ ପ୍ରଶାସନର ଏଭଳି ନିଷ୍ପତ୍ତି ଅତି ବିଚିତ୍ର ବୋଲି ସେବକମାନେ କହିବା ସହ କରୋନାଠାରୁ ଏ କଟକଣା ଅଧିକ ଯନ୍ତ୍ରଣାଦାୟକ ବୋଲି କହିଛନ୍ତି।