“ସମ୍ଭାବ୍ୟ ବାତ୍ୟା ସରିବା ପରେ ଏ ବର୍ଷ ମୌସୁମି ଆସିବା ନେଇ ମିଳିବ ସ୍ପଷ୍ଟ ସୂଚନା” କହିଲେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ
ଚଳିତ ବର୍ଷ ଶୀଘ୍ର ଆସିବ ମୌସୁମୀ । ଏଥର ଖରା ଯେମିତି ଡହଳ ବିକଳ କରାଇଛି। ବର୍ଷା ମଧ୍ୟ ସେହିପରି ଭିଜାଇବ। ଏଥର ଆଗୁଆ ଆସିପାରେ ମୌସମୀ । ମେ ଶେଷ ସପ୍ତାହ ସୁଦ୍ଧା ମୌସୁମି ଆସିବାର ସମ୍ଭାବନା ରହିଛି । ମେ ମାସ ଶେଷ ଆଡ଼କୁ ତାପମାତ୍ରା କମିବ ।

ତାପମାତ୍ରା କମିଲେ ମୌସମୀକୁ ଶୀଘ୍ର ଆସିବା ସହଜ ହେବ । ଏହାକୁ ନେଇ କିଛି ମଡେଲ ପ୍ରାଥମିକ ଆକଳନ କରିଛନ୍ତି। । ଏହି ଆକଳନ ସତ ହେଲେ ତାହେଲେ ମେ ୨୦ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁବ । ସେପଟେ ଜୁନ ୧ରେ ମୌସୁମି ଓଡ଼ିଶା ଛୁଇଁପାରେ ।ସେଥିପାଇଁ ଭଲ ବର୍ଷା ହେବାର ମଧ୍ୟ ଆଶଙ୍କା ରହିଛି । ବିଗତ କିଛି ବର୍ଷର ତଥ୍ୟ ଉପରେ ନଜର ପକାଇଲେ ଜଣାପଡ଼େ ୨୦୧୭ ରେ ୩୦ ମେ, ୨୦୧୮ ରେ ମେ ୨୯, ୨୦୧୯ ରେ ୮ ଜୁନ, ୨୦୨୦ ରେ ଜୁନ ୧ ଓ ୨୦୨୧ ରେ ଜୁନ ୩ ରେ କେରଳ ଛୁଇଁ ଥିଲା ମୌସୁମୀ। ସମୁଦ୍ର ଓ ସ୍ଥଳ ଭାଗର ତାପମାତ୍ରାରେ ତାରତମ୍ୟ ଦେଖା ଦେଲେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହିତ ହୋଇଥାଏ ।
ପ୍ରତ୍ୟେକ ବର୍ଷ ଏପରି ହୋଇଥାଏ ଓ ଚଳିତ ବର୍ଷ ବି ହେବ କିନ୍ତୁ ଚଳିତ ବର୍ଷ ବର୍ତମାନ ପରିସ୍ଥିତିକୁ ଲକ୍ଷ୍ୟ କଲେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଶୀଘ୍ର ଆସିବା ଆଶା କରାଯାଉଛି ବୋଲି ସୋଆ ସେଣ୍ଟର୍ ଫର୍ ଏନଭାଇରମେଣ୍ଟ ଆଣ୍ଡ କ୍ଲାଇମେଟ ବିଭାଗ ମୂଖ୍ୟ ଡ଼ ଶରତ ଚନ୍ଦ୍ର ସାହୁ କହିଛନ୍ତି । ସେପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଶୀଘ୍ର କେରଳ ଛୁଇଁବା ପ୍ରକ୍ରିୟା ଉପରେ ଆଇଏମଡି ନଜର ରଖିଥିବା କହିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଏଚ୍ ଆର ବିଶ୍ୱାସ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ମେ ମଧ୍ୟଭାଗରୁ ଆକଳନ ଆରମ୍ଭ ହୋଇଥାଏ। ଏଥର ପୂର୍ବ ବର୍ଷ ଅପେକ୍ଷା ବହୁତ ପୂର୍ବରୁ ମୌସୁମୀ ବାୟୁ ଆଣ୍ଡମାନ୍ରେ ପହଞ୍ଚିବ। ତେଣୁ ଆଇଏମଡି ନିଜ ଆକଳନ ବ୍ୟତୀତ ଅନ୍ୟ ବିଦେଶି ମଡେଲକୁ ବି ଅନୁଧ୍ୟାନ କରୁଛି ବୋଲି ଜଣାପଡିଛି । ଆଉ ବାତ୍ୟା ସରିବା ପରେ ମୌସୁମୀ ଚିତ୍ର ପୁରା ସ୍ପଷ୍ଟ ହେବ ବୋଲି ଡକ୍ଟର ଏଚ୍ ଆର ବିଶ୍ବାସ କହିଛନ୍ତି ।