
ପେଟ୍ରୋଲ ଓ ଡିଜେଲ ଦର ରବିବାର ଲଗାତାର ଷଷ୍ଠ ଦିନ ବଢିଛି। ପେଟ୍ରୋଲ ପ୍ରତି ଲିଟର ୨୯ ପଇସା ଓ ଡିଜେଲ ୩୨ ପଇସା ମହଙ୍ଗା ହୋଇଛି। ଫଳରେ ଦେଶରେ ତୈଳ ଦର ଐତିହାସିକ ସ୍ତରରେ ପହଞ୍ଚିଛି। ତୈଳ ଦର ବୃଦ୍ଧି ପରେ ରାଜସ୍ଥାନରେ ପ୍ରତି ଲିଟର ପେଟ୍ରୋଲ ୯୯ ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ ୯୧ ଟଙ୍କାକୁ ଛୁଇଁଛି। ମୂଲ୍ୟ ବୃଦ୍ଧି ଯୋଗୁ ପ୍ରିମିୟମ ପେଟ୍ରୋଲ ଦର ପ୍ରତି ଲିଟର ୧୦୦ଟଙ୍କାରେ ବିକ୍ରି ହେଉଛି। ଲୋକେ ନୂଆ ଦରବୃଦ୍ଧିକୁ ନେଇ ସୋସିଆଲ ମିଡିଆରେ ମଜାଦାର ମିମସ୍ ସେୟାର କରୁଛନ୍ତି। ଦେଶରେ ଲଗାତାର ତୈଳ ମୂଲ୍ୟ ବୃଦ୍ଧିକୁ ନଜରରେ ରଖି ରାଜସ୍ଥାନ ସରକାର ଗତମାସରେ ଡିଜେଲ ଦରରେ ୨ ପ୍ରତିଶତ ଭାଟ ହ୍ରାସ କରିଥିଲେ। ଏହା ସତ୍ତ୍ୱେ ରାଜ୍ୟରେ ତୈଳ ଦର ରେକର୍ଡସ୍ତରକୁ ପହଞ୍ଚିଛି। ପ୍ରତି ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ସ୍ଥାନୀୟ ବିକ୍ରିକର ଓ ଭାଟ ଅଲଗା ଅଲଗା।
ରାଜସ୍ଥାନ ସରକାର ପେଟ୍ରୋଲରୁ ୩୬ ପ୍ରତିଶତ ଭାଟ ଆଦାୟ କରୁଛନ୍ତି।ରାଜସ୍ଥାନରେ ପେଟ୍ରୋଲ ପ୍ରତି କିଲୋଲିଟର ୧୫ଶହ ଟଙ୍କା ରୋଡ ସେସ୍ ଅସୁଲ ହେଉଛି। ସେହିପରି ଡିଜେଲ ଉପରେ ସରକାର ୨୬ ପ୍ରତିଶତ ଭାଟ ଲାଗୁ କରିଥିବା ବେଳେ ରୋଡ ସେସ୍ ବାବଦେ ପ୍ରତି କିଲୋଲିଟର ୧ ହଜାର ୭୫୦ଟଙ୍କା ଆଦାୟ କରୁଛନ୍ତି।
ତୈଳ ଦର ବୃଦ୍ଧି ଯୋଗୁ ଶ୍ରୀଗଙ୍ଗା ନଗରରେ ପ୍ରିମିୟମ ପେଟ୍ରୋଲ ପ୍ରତି ଲିଟର ଦର ୧୦୨ଟଙ୍କା ୭ ପଇସା ଦରରେ ବିକ୍ରି ହେଉଛି। ସେହିପରି ଗ୍ରେଡେଡ ଡିଜେଲ ପ୍ରତି ଲିଟର ୯୪ଟଙ୍କା ୮୩ ପଇସାକୁ ପହଞ୍ଚିଛି। ଏହି ସମୟରେ ରାଜଧାନୀ ଦିଲ୍ଲୀରେ ପ୍ରତିଲିଟର ପେଟ୍ରୋଲ୮୮ଟଙ୍କା ପଇସା ଦରରେ ବିକ୍ରି ହେଉଥିବା ବେଳେ ଡିଜେଲ ପ୍ରତି ଲିଟର ୭୯ଟଙ୍କା ୬ ପଇସାକୁ ପହଞ୍ଚିଛି। ସେପଟେ ପ୍ରିମିୟମ ପେଟ୍ରୋଲ ପ୍ରତି ଲିଟର ରାଜଧାନୀରେ ୯୧ଟଙ୍କା ପଇସାରେ ବିକ୍ରି ହେଉଛି।