ଗ୍ରୀଷ୍ମରେ ବଢୁଥିବା ତାପମାତ୍ରାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିନ୍ତିତ
ମୌସୁମୀ ପ୍ରସ୍ତୁତିକୁ ନେଇ କଲେ ବୈଠକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବିଭିନ୍ନ ପ୍ରାନ୍ତରେ ଗ୍ରୀଷ୍ମ ଯୋଗୁ ପଡୁଥିବା ଗରମ ମୁକାବିଲା ସହ ମୌସୁମୀ ସମ୍ପର୍କିତ ପ୍ରସ୍ତୁତିର ସମୀକ୍ଷା ଲାଗି ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ୟୁରୋପୀୟ ଦେଶଙ୍କୁ ୩ ଦିବସୀୟ ଯାତ୍ରାରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ଏହି ବୈଠକ କରିଛନ୍ତି। ଦେଶରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁ ଅନେକ ଅଞ୍ଚଳର ତାପମାତ୍ରା ବୃଦ୍ଧି ପାଉଛି। ଏହି କ୍ରମରେ କେତେକ ସହରର ତାପମାତ୍ରା ଏବେ ୪୫ ଡିଗ୍ରି ସେଲସିୟରେ ପହଞ୍ଚିବା ବାସ୍ତବିକ ଚିନ୍ତାଜନକ। ବୁଧବାର ରାଜଧାନୀ ଦିଲ୍ଲୀ ସମେତ କେତେକ ଅଞ୍ଚଳରେ କୁଆପଥର ବର୍ଷା ହୋଇଥିଲା। ଏଣୁ ଗୁରୁବାର ଏହି ସବୁ ସ୍ଥାନରେ ପାଗ ଅନୁକୂଳ ରହିଛି। ତେବେ ଏପରି ପାଗ ହୁଏତ ଆଉ ଦିନଟିଏ ଲାଗି ରହିପାରେ ଶୁକ୍ରବାର ପୁଣି ତାପମାତ୍ରାରେ ବୃଦ୍ଧି ହେବା ସହ ରବିବାର ବେଳକୁ ପୁଣି ହିଟ୍ ୱେଭ ଆରମ୍ଭ ହୋଇଯାଇପାରେ ବୋଲି ଆକଳନ କରାଯାଉଛି।
ପାଣିପାଗ ବିଭାଗଙ୍କ ଅନୁସାରେ ପଞ୍ଜାବ ଓ ହରିୟାଣାର କେତେକ ଅଞ୍ଚଳରେ ଓ ଉତ୍ତର ରାଜସ୍ଥାନ ତଥା ପଶ୍ଚିମ ଓ ମଧ୍ୟ ଉତ୍ତରପ୍ରଦେଶରେ ହାଲୁକା ବର୍ଷା ସହ କୁଆପଥର ପଡିଛି। ପ୍ରାୟ ସ୍ଥାନରେ ଧୂଳି ଝଡ ପାଗରେ ସାମାନ୍ୟ ପରିବର୍ତ୍ତନ ଆଣିଛି। ତେବେ ପୁଣି ଗ୍ରୀଷ୍ମ ଲହର ଫେରିବାର ଆଶଙ୍କା ଏବେ ଚିନ୍ତାରେ ପକାଇଛି।