
ମୋର୍ବି: ଝୁଲାପୋଲ ଭୁଶୁଡ଼ିବା ଘଟଣାକୁ ନେଇ ଚର୍ଚ୍ଚାରେ ଥିବା ଗୁଜରାଟ ମୋର୍ବିର ସ୍ୱାସ୍ଥ୍ୟ ଭିତ୍ତିଭୂମି କେମିତି ଅଛି, ତା’ର ଏକ ଅପ୍ରିୟ ସତ୍ୟ ସାମ୍ନାକୁ ଆସିଛି। ଝୁଲା ପୋଲ ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନେ ମୋର୍ବିର ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଜି ଆହତଙ୍କୁ ଦେଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହସ୍ପିଟାଲ ଯାଇଥିଲେ। ହସ୍ପିଟାଲର ଭିତ୍ତିଭୂମି ଠିକ ଥିବା ସମସ୍ତଙ୍କୁ ଜଣାଇବା ପାଇଁ ପ୍ରଶାସନ ଜୋରଦାର ପ୍ରସ୍ତୁତି କରିଥିଲା। ଏହିକ୍ରମରେ ହସ୍ପିଟାଲରେ ତରବରିଆ ଭାବେ ରାତାରାତି ୪ଟି ୱାଟର କୁଲର ଲଗାଯାଇଥିଲା। ତେବେ ଏହା ମଧ୍ୟରୁ ଠିକଣା ସମୟରେ ଗୋଟିଏରୁ ପାଣି ନ ବାହାରିବା ସମସ୍ତଙ୍କୁ ଚକିତ କରିଛି। ପ୍ରଶାସନ ଓ ହସ୍ପିଟାଲ କର୍ତ୍ତୃପକ୍ଷ ୱାଟର କୁଲର ଲଗାଇଥିଲେ ମଧ୍ୟ ପାଣି ସପ୍ଲାଏ ସଂଯୋଗ କରିବାକୁ ଭୁଲି ଯାଇଛନ୍ତି। ଏହି ଦୃଶ୍ୟ କ୍ୟାମେରାରେ ମଧ୍ୟ କଏଦ ହୋଇଛି। ପ୍ରଶାସନ ହସ୍ପିଟାଲର ଭିତ୍ତିଭୂମିକୁ ସଜାଡ଼ିବା ପାଇଁ କେମିତି ତରବରିଆ ଭାବେ କାମ କରୁଛି ଏଥିରୁ ସ୍ପଷ୍ଟ ହୋଇଛି। ରବିବାର ଝୁଲା ପୋଲ ଭୁଶୁଡ଼ିବା ଘଟଣାରେ ୧୩୫ ଜଣଙ୍କ ଜୀବନ ଯାଇଥିଲା। ଅନେକ ଲୋକ ଆହତ ମଧ୍ୟ ହୋଇଥିଲେ। ସେମାନଙ୍କୁ ମୋର୍ବି ସରକାରୀ ହସ୍ପିଟାଲରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଆଜି ମୋଦି ହସ୍ପିଟାଲର ଗୋଟିଏ ୱାର୍ଡକୁ ଯାଇ ଆହତଙ୍କୁ ଭେଟିଛନ୍ତି।