ରଥଯାତ୍ରା ବେଳେ ଗହଳିକୁ ଦେଖି ରଥ ପାଖକୁ ଆସୁଥିବା ପଥଚାରୀ ଭକ୍ତଙ୍କ ସୁରକ୍ଷା, ଠେଲାପେଲା, ଦଳାଚକଟା, ଭିଡ଼ ନିୟନ୍ତ୍ରଣ, ତିନି ରଥର ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ଟ୍ରାଫିକର ସୁପରିଚାଳନା ପାଇଁ ୩ ସ୍ତରରେ ବିଭକ୍ତ କରାଯାଇଛି । ଭିତର ଟ୍ରାଫିକ୍କୁ ୨ଟି ଓ ବାହାର ଟ୍ରାଫିକ୍କୁ ଗୋଟିଏ ଭାଗରେ ବିଭକ୍ତ କରି ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଇଛି । ଏନେଇ ମଙ୍ଗଳବାର ଅପରାହ୍ଣରେ ଟ୍ରାଫିକ୍ କଣ୍ଟ୍ରୋଲ୍ ରୁମ୍ ଏସ୍ପି ଦୀପକ କୁମାର ରଥ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ତେବେ ଭିତର ଟ୍ରାଫିକ୍ ୧ ଓ ୨ ସମ୍ପୂର୍ଣ୍ଣ ଭାବେ ସହର ଭିତରେ ଓ ବାହାର ଟ୍ରାଫିକ୍ ଏନ୍ଏଚ୍, ଏସ୍ଏଚ୍ ଓ ବେଳାମାର୍ଗରେ ନିୟନ୍ତ୍ରଣ କରାଯିବ ।ବାହାର ଟ୍ରାଫିକ୍ ଭାବେ ଭୁବନେଶ୍ୱରରୁ ପୁରୀ, କୋଣାର୍କରୁ ପୁରୀ, ସାତପଡ଼ାରୁ ପୁରୀ ତଥା ନୂଆ ଜଗନ୍ନାଥ ସଡ଼କକୁ ନିର୍ଦ୍ଧାରଣ କରାଯାଇଛି । ଏଠାରେ ସେକ୍ଟର ଓ ଜୋନାଲ ଅଫିସରଙ୍କୁ ନିୟୋଜିତ କରାଯାଇଛି । ଯାତାୟାତ ସୁନିୟନ୍ତ୍ରିତ କରିବାକୁ ପରିବହନ ବ୍ୟବସ୍ଥା ୩ ଭାଗରେ ବିଭକ୍ତ କରାଯାଇଛି । ନବଯୌବନ ତଥା ଉଭା ଦର୍ଶନ ଓ ରଥଯାତ୍ରାରୁ ସନ୍ଧ୍ୟା ଦର୍ଶନ ପର୍ଯ୍ୟନ୍ତ ପ୍ରଥମ ବନ୍ଦୋବସ୍ତ । ବାହୁଡ଼ା ଯାତ୍ରା ପାଇଁ ଦ୍ୱିତୀୟ ବନ୍ଦୋବସ୍ତ । ବାହୁଡ଼ା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ତୃତୀୟ ବନ୍ଦୋବସ୍ତ । ରଥଯାତ୍ରାରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୩୦ ତାରିଖ ରାତି ୧୨ଟାରୁ କଟକଣା ଜାରି କରାଯିବ । ଯାହା ରଥଟଣା ଶେଷ ପର୍ଯ୍ୟନ୍ତ ଜାରି ରହିବ। ରଥଯାତ୍ରା ଦିନ ଭୁବନେଶ୍ୱର ଆଡୁ ଆସୁଥିବା ସମସ୍ତ ବାହାର ରାଜ୍ୟ ବସ୍ଗୁଡ଼ିକ ଆସି ମାଳତୀପାଟପୁର ବସ୍ଷ୍ଟାଣ୍ଡ୍ରେ ପାର୍କିଂ କରିବେ ।ସେଠାରୁ ସହର ଭିତରକୁ ଯାତ୍ରୀଙ୍କୁ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ସଟଲ ବସ୍ ବ୍ୟବସ୍ଥା କରାଯାଇଛି । ଯାତ୍ରୀ ସଟଲ ବସ୍ରେ ଆସି ଅଠରନଳାଠାରେ ଓହ୍ଲାଇବା ପରେ ସହର ଭିତରକୁ ଆସିବେ । ଭୁବନେଶ୍ୱରରୁ କିମ୍ବା ଜଗନ୍ନାଥ ସଡ଼କ ଦେଇ ପୁରୀକୁ ନିୟମିତ ଯାତାୟାତ କରୁଥିବା କିମ୍ବା ଯେଉଁ ଟେମ୍ପରାରୀ ପରିମିଟ୍ ନେଇଇଥିବା ବସ୍ଗୁଡ଼ିକ ମାଳତୀପାଟପୁରଠାରୁ ଆର୍ଓବି ଦେଇ ବାଇଦାସ୍ ନଗର ପାଇପାସ୍ ଦେଇ ତାଳବଣିଆ ପାର୍କିଂକୁ ଆସିବେ ।
ଫେରିବାବେଳେ ସେହି ବସ୍ଗୁଡ଼ିକ ଗ୍ରୀଡ୍ ଷ୍ଟେସନ୍ ଦେଇ ବାଲିଘାଟ, ସମଙ୍ଗରା, ହରେକୃଷ୍ଣପୁର ଦେଇ ଫେରିବେ । ଭୁବନେଶ୍ୱର, ଜଗନ୍ନାଥ ସଡ଼କ ଓ ବ୍ରହ୍ମଗିରି ଆଡୁ ଆସୁଥିବା ଦୁଇଚକିଆକୁ ମାର୍କେଟ୍ ଛକସ୍ଥିତ ବଲ୍ଲଭ ଓ ମଶାଣୀ ଚଣ୍ଡୀ ଛକ ସ୍ଥିତ ପାର୍କିଂକୁ ପଠାଯିବ । ଏହି ୨ଟି ଫୁଲ୍ ହେବା ପରେ ମଙ୍ଗଳାଘାଟରୁ ଶ୍ରୀସେତୁକୁ ସଂଯୋଗ କରୁଥିବା ଫାଙ୍କା ସ୍ଥାନରେ ପାର୍କିଂ କରାଯିବ । ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଯାନଗୁଡ଼ିକ ରାତି ୧୨ରୁ ୩ଟା ମଧ୍ୟରେ ଲୋଡ ଓ ଅନ୍ଲୋଡ କରି ସହର ଭିତରୁ ବାହାରି ଯିବେ । ଶ୍ରୀଗୁଣ୍ଡିଚା, ବାହୁଡ଼ା ଓ ସୁନାବେଶ ଦିନ କୌଣସି ଭାରୀଯାନ ସକାଳଠାରୁ ରାତି ୧୨ଟା ଯାଏ ସହର ଭିତରକୁ ପ୍ରବେଶ ନିଷେଧ କରାଯାଇଛି । ଅନ୍ୟ ଦିନମାନଙ୍କରେ ରାତି ୧୨ରୁ ସକାଳ ୬ ମଧ୍ୟରେ ଲୋଡିଂ ଓ ଅନ୍ଲୋଡିଂ କାର୍ଯ୍ୟ କରିପାରିବେ । ତେବେ ଦିବ୍ୟାଙ୍ଗଙ୍କ ପାଇଁ ୧୦ଟି ଅଟୋ ବନ୍ଦୋବସ୍ତ କରାଯାଇଛି । ଏହି ଅଟୋର ନମ୍ବର ଜାରି କରାଯିବା ସହ ପାସ୍ ବ୍ୟବସ୍ଥା କରାଯାଇଛି । ସେଥିରେ ଦିବ୍ୟାଙ୍ଗମାନଙ୍କୁ ବଳଗଣ୍ଡି ଉଚ୍ଚ ବିଦ୍ୟାଳୟ ପରିସରକୁ ଅଣାଯିବ। ସେଠାରେ ଦିବ୍ୟାଙ୍ଗଙ୍କ ବସିବା ପାଇଁ ବନ୍ଦୋବସ୍ତ କରାଯାଇଛି । ସେମାନେ ସେଠାରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଟ୍ରାଫିକ୍ ନିୟନ୍ତ୍ରଣରେ ୪ ଜଣ କମାଣ୍ଡାଣ୍ଟ୍ କିମ୍ବା ଏସ୍ପି ରାଙ୍କର ଅଫିସର୍ ରହିବେ । ୧୩ ଜଣ ଡେପୁଟି କମାଣ୍ଡାଣ୍ଟ୍ କିମ୍ବା ଅତିରିକ୍ତ ଏସ୍ପି ରାଙ୍କର ଅଫିସର ରହିବେ । ୨୨ ଜଣ ଡିଏସ୍ପି କିମ୍ବା ଆସିଷ୍ଟାଣ୍ଟ୍ କମାଣ୍ଡାଣ୍ଟ୍, ୬ ଜଣ ଇନ୍ସପେକ୍ଟର୍ କିମ୍ବା ସୁବେଦାର୍, ୨୮ ଜଣ ଏସ୍ଆଇ କିମ୍ବା ଏଏସ୍ଆଇ ରହିବେ । ଏଥିସହ ୪୩ ପ୍ଲାଟୁନ୍ ଫୋର୍ସ ଅର୍ଥାତ୍ ୧୨୯ ସେକ୍ସନ୍ ଫୋର୍ସ ନିୟୋଜିତ ହେବେ ବୋଲି ସୂଚନା ଦେଇଛି ପୁଲିସ ।