
ଭଦ୍ରକ ଜିଲ୍ଲାର ଧାମନଗର ଅଞ୍ଚଳରେ ଚାଲୁଥିବା ବେଆଇନ କରତକଳ ଉପରେ ବନ ବିଭାଗ କଡା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଧାମନଗର ରେଞ୍ଜ ଅଧୀନ ଉତ୍ତେଇପୂର ଗ୍ରାମରେ ଗୁରୁବାର ସକାଳୁ ଏକ ବେଆଇନ କରତକଳ ଉପରେ ଚଢ଼ାଉ କରାଯାଇଛି।
ଚଢ଼ାଉ ସମୟରେ ପୁଣ୍ଟିଆ, ଜାମୁ, ଶିରୀଶ ପ୍ରଭୃତି ମୂଲ୍ୟବାନ କାଠ ସହ ଯନ୍ତ୍ରାଂଶ ବନ ବିଭାଗ ଜବତ କରିଛି। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ସୂଚନା ମିଳିଛି।
ଭଦ୍ରକ ଡିଏଫଓଙ୍କ ନିର୍ଦ୍ଦେଶରେ ଏସିଏଫ ଓ ରେଞ୍ଜରଙ୍କ ନେତୃତ୍ୱରେ ବନ ବିଭାଗର ଟିମ୍, ସ୍ଥାନୀୟ ପୋଲିସ ସହଯୋଗରେ ଏହି ଚଢ଼ାଉ କରିଥିଲେ। ତେବେ ଚଢ଼ାଉ ସମୟରେ କରତକଳ ମାଲିକ ଫେରାର ହୋଇଯାଇଥିବାରୁ ତାଙ୍କୁ ଧରିବା ପାଇଁ ତଲାଶି ଜାରି ରହିଛି।
ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଅଞ୍ଚଳରେ ଚାଲୁଥିବା ସମସ୍ତ ବେଆଇନ କରତକଳ ଉପରେ କଡା ନଜର ରଖାଯାଇଛି ଏବଂ ପର୍ଯ୍ୟାୟକ୍ରମେ ଏପରି ଚଢ଼ାଉ ଜାରି ରହିବ।ସ୍ଥାନୀୟ ଲୋକମାନେ ମଧ୍ୟ ଧାମନଗର ଓ ଚାରିପାଖରେ ଖୁଲମଖୁଲା ଚାଲୁଥିବା ବେଆଇନ କରତକଳ ବନ୍ଦ ପାଇଁ ବନ ବିଭାଗକୁ ଅଧିକ କଡା ପଦକ୍ଷେପ ନେବାକୁ ଦାବି କରିଛନ୍ତି।



