ରାଜଧାନୀରେ ଉପଲବ୍ଧ ହେବ ଫ୍ରି ଓ୍ୱାଇଫାଇ ସେବା
ରାଜଧାନୀ ଭୁବନେଶ୍ୱର ହେବ ଆହୁରି ସ୍ମାର୍ଟ ।

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ହେବ ଆହୁରି ସ୍ମାର୍ଟ । ଭୁବନେଶ୍ୱରରେ ମିଳିବ ମାଗଣା ୱାଇଫାଇ। ସ୍ମାର୍ଟସିଟିକୁ ଆହୁରି ସ୍ମାର୍ଟ କରାଇବା ପାଇଁ ଏଭଳି ସେବା ଆରମ୍ଭ କରିଛି ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍। ବିଏସ୍ସିଏଲ ପକ୍ଷରୁ ୨୦୧୮ରେ ମାଗଣା ୱାଇଫାଇ ନେଇ ପ୍ରକଳ୍ପ ଆରମ୍ଭ ହୋଇଥିଲା। ମାତ୍ର ୨୦୦ ପଏଣ୍ଟରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ ଏବେ ସୁଦ୍ଧା ପାଖାପାଖି ୧୪୦୦ ପଏଣ୍ଟକୁ ସଂଯୋଗ ହୋଇଛି। ଆଗରୁ କେବଳ ରେଳଷ୍ଟେସନରେ ମାଗଣା ୱାଇଫାଇ ମିଳୁଥିଲା। ବାକି ଅନ୍ୟ ସ୍ଥାନମାନଙ୍କରେ ମାଗଣା ୱାଇଫାଇ ସେବା ଉପଲବ୍ଧ ନଥିଲା। ତେବେ ପ୍ରାଥମିକ ପର୍ଯ୍ୟାୟରେ ମୋଟ ୧୩୫୦ଟି ସ୍ଥାନରେ ପଏଣ୍ଟ କାର୍ଯ୍ୟକ୍ଷମ ହୋଇଛି। ଅବଶିଷ୍ଟ ପଏଣ୍ଟଗୁଡିକର କାର୍ଯ୍ୟ ଖୁବଶୀଘ୍ର ସରିବ ବୋଲି ବିଏସ୍ସିଏଲ ପକ୍ଷରୁ କୁହାଯାଇଛି। ଏହି ସୁବିଧା ପାଇବାକୁ ହେଲେ ଭୁବନେଶ୍ୱର ମି ଆପ୍କୁ ଡାଉନଲୋଡ୍ କରିବାକୁ ହେବ। ଏହି ଆପକୁ ଲଗଇନ୍ କଲେ ମୋବାଇଲ ନମ୍ବରକୁ ଓଟିପି ଯିବ। ଏହାକୁ ଦାଖଲ କରିବା ପରେ ମାଗଣା ୱାଇଫାଇ ସେବା ପାଇପାରିବେ। ତେବେ କୌଣସି ସମସ୍ୟା ଆସିଲେ ସମାଧାନ ପାଇଁ ୨୪ଘଣ୍ଟିଆ କର୍ମଚାରୀ ବି ନିୟୋଜିତ ରହିବେ।