ଏଣିକି ଜୋମାଟୋରେ ମିଳିବନି ଗ୍ରୋସରୀ, ସେବା ବନ୍ଦ ନେଇ କମ୍ପାନୀର ଘୋଷଣା
ଅନଲାଇନ ଫୁଡ୍ ଡେଲିଭରି ପ୍ଲାଟଫର୍ମ ଜୋମାଟୋ ଗ୍ରୋସରୀ ଡେଲିଭରି ସର୍ଭିସ ପାଖରୁ ସମ୍ପର୍କ ଛିନ୍ନ କରିଛି।

ଏଣିକି ଜୋମାଟୋ ଆପ୍ରେ ଗ୍ରୋସରୀ ମିଳିପାରିବ ନାହିଁ । ଗ୍ରାହକମାନେ ଜୋମାଟୋରୁ ଅତ୍ୟାବଶ୍ୟକ ଘରୋଇ ସାମଗ୍ରୀ କିଣି ପାରିବେ ନାହିଁ। ନିକଟରେ ଆରମ୍ଭ ହୋଇଥିବା ସେବା ବନ୍ଦ ହୋଇଛି। ଅର୍ଡର ପହଞ୍ଚାଇବାରେ ବିଳମ୍ବ, ଗ୍ରାହକଙ୍କ ଖରାପ ରେଟିଂ ଏବଂ ପ୍ରତିଦ୍ବନ୍ଦିତା ବୃଦ୍ଧି ଯୋଗୁଁ କମ୍ପାନୀ ଏମିତି ନିଷ୍ପତ୍ତି ନେଇଥିବା କୁହାଯାଉଛି। ୧୫ ମିନିଟ୍ରେ ଏକ୍ସପ୍ରେସ ଡେଲିଭରି ପାଇଁ ପ୍ରତିଶ୍ରୁତି ଦେଇଥିଲା ଜୋମାଟୋ। ଜୋମାଟୋର ପ୍ରବକ୍ତା ଏନେଇ ମନିକଂଟ୍ରୋଲକୁ ସୂଚନା ଦେଇଥିବା ଜଣପଡ଼ିଛି।
ଏବେ ଗ୍ରୋସରି ସେବା ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଭବିଷ୍ୟତରେ ଏହି ସେବା ଆରମ୍ଭ କରିବାର ଯୋଜନା ନାହିଁ ବୋଲି ସେ କହିଛନ୍ତି। କମ୍ପାନୀ ପକ୍ଷରୁ ନିକଟରେ ଗ୍ରୋସରୀ ପ୍ଲାଟଫର୍ମ ଗ୍ରୋଫର୍ସରେ ୧୦ କୋଟି ଡଲାର (୭୪୫ କୋଟି ଟଙ୍କା) ନିବେଶ କରିବା ସହ କିଛି ଅଂଶଧନ ମଧ୍ୟ କ୍ରୟ କରିଥିଲା। ଅନ୍ୟପଟେ କମ୍ପାନୀର ସିଏଫଓ ଅକ୍ଷତ ଗୋଏଲ କହିଛନ୍ତି, ଆଗକୁ ଆମେ ଗ୍ରୋସରୀ ସେବା ଆରମ୍ଭ କରିବୁ ଏବଂ ବଜାରରେ ଆମେ କେତେ ଶୀଘ୍ର ଆଗକୁ ବଢ଼ୁଛୁ ତାହା ଦେଖିବୁ। ତେବେ ଜୋମାଟୋର ଗ୍ରୋସରୀ ଡେଲିଭରି ସେବା ସେପ୍ଟେମ୍ବର ୧୭ରୁ ବନ୍ଦ ହୋଇଯିବ ।