
ଭୁବନେଶ୍ୱର: ଏଣିକି ହାଇସ୍କୁଲରେ ପାଠ ପଢିବେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ । ଏଥିପାଇଁ ଆରମ୍ଭ ହୋଇଛି ଏକ ନୂଆ ପ୍ରକ୍ରିୟା । ଏକାଦଶ ଶ୍ରେଣୀ ପାଇଁ ଆରମ୍ଭ ହୋଇଛି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା । ୨୦୨୩-୨୪ ଶିକ୍ଷାବର୍ଷରୁ ୪୦ଟି ହାଇସ୍କୁଲରେ ଯୁକ୍ତ ଦୁଇ ଶ୍ରେଣୀ ଖୋଲିବ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ । ପୂର୍ବରୁ ଘରଠାରୁ ଦୂରକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପାଇଁ ଯିବାକୁ ପଡୁଥିଲା । ଯେଉଁଥିପାଇଁ ପିଲାଙ୍କ ପାଠ ପଢ଼ାରେ ବହୁ ଅସୁବିଧା ହେଉଥିଲା । ଡ୍ରପ୍ଆଉଟ୍ ବଢ଼ିବା ସାଙ୍ଗକୁ ପାଠ ଛାଡୁଥିଲେ ଗରିବ ପିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ହେଉଛି କୌଣସି ବି ପିଲା ଅଶିକ୍ଷିତ ନରୁହନ୍ତୁ। ଯେଉଁ ସ୍ଥାନରେ କଲେଜ ସୁବିଧା ନାହିଁ, ପିଲାମାନଙ୍କୁ ଯିବା ପାଇଁ ବାଟ ଦୂର ହେଉଛି ସେହିଭଳି ଅଞ୍ଚଳରେ ଯୁକ୍ତ ଦୁଇ ଶ୍ରେଣୀ ଖୋଲିବ। ହେଲେ ଏବେ ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପଢାଇବାକୁ ପ୍ରସ୍ତୁତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୪୦ଟି ଉଚ୍ଚ ମାଧ୍ୟମିକ ସ୍କୁଲକୁ ଅପଗ୍ରେଡ୍ କରାଯିବ। ବର୍ତ୍ତମାନ ଉଚ୍ଚଶିକ୍ଷା ଅଧୀନରେ ଥିବା ଅଧ୍ୟାପକମାନେ ଉଚ୍ଚ ମାଧ୍ୟମିକ ସ୍କୁଲରେ ପଢାଉଛନ୍ତି । ଯେଉଁଥିପାଇଁ ନିଜସ୍ୱ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଲାଗି ପଡ଼ିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏଯାଏ ୫୩ ଜଣଙ୍କୁ ନିଯୁକ୍ତି ମିଳି ସାରିଛି । ଆବଶ୍ୟକ ପଡ଼ିଲେ, ଅଧିକ ଅଧ୍ୟାପକଙ୍କ ଦ୍ୱାରା ଶିକ୍ଷାଦାନ କରାଯିବ । ସ୍କୁଲର ରୂପାନ୍ତରଣ ହେବା ପରେ ହାଇସ୍କୁଲରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି । ଅନ୍ୟପଟେ ସ୍କୁଲ ଅପଗ୍ରେଡେସନ୍ ପ୍ରକ୍ରିୟାକୁ ସ୍ୱାଗତ କରିଛନ୍ତି ଶିକ୍ଷକ । ପ୍ରଥମେ ୪୦ ଟି ସ୍କୁଲରେ ଯୁକ୍ତ ଦୁଇ ଖୋଲିବ ଏବଂ ପର୍ଯ୍ୟାୟ କ୍ରମେ ୧୦୦ଟି ସ୍କୁଲରେ ଖୋଲିବା ପାଇଁ ବ୍ୟବସ୍ଥା ହେବ।