ଜେଟ୍ ସ୍କାଏରେ ଆକାଶକୁ ଛୁଇଁବାର ପ୍ରୟାସ ସାଙ୍ଗକୁ ଜଳକ୍ରୀଡ଼ାରେ ବିସ୍ତୀର୍ଣ୍ଣ ନୀଳ ଜଳରାଶି ସହ ଏକାକାର ହୋଇଯିବାର ଅନୁଭୂତି। ଦେଶବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଏମିତି ନିଆରା ଅନୁଭୂତି ଆଣିଦେବ ସରକାରଙ୍କ ଦ୍ୱାରା ଆୟୋଜିତ ଇକୋ-ରିଟ୍ରିଟ୍।
ଓଡିଶାର କାଶ୍ମୀର କୁହାଯାଉଥିବା କନ୍ଧମାଳର ଦାରିଙ୍ଗବାଡ଼ିରୁ ସାତକୋଶିଆ, ହୀରାକୁଦରୁ ଭିତରକନିକା। ପୁଣି ବ୍ଲାଗ୍ ପାଗୋଡ଼ା କୋଣାର୍କର ଚନ୍ଦ୍ରଭାଗା ବେଳାଭୂମି। ଏହି ୫ଟି ସ୍ଥାନରେ ଆରମ୍ଭ ହେବ ଇକୋ-ରିଟ୍ରିଟ୍। ବୁଧବର କାର୍ଯ୍ୟକ୍ରମକୁ ଭୁର୍ଚଆଲ୍ରେ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପରେ ପର୍ଯ୍ୟଟକମାନେ ପ୍ରକୃତ କୋଳରେ ରହିବା ସହ ବିଭିନ୍ନ ପ୍ରକାରର ଦୁଃସାହସିକ କ୍ରୀଡ଼ାର ମଜା ନେଇପାରିବେ। ଆଖାପାଖରେ ଥିବା ପର୍ଯ୍ୟଟନସ୍ଥଳୀ ବୁଲିବେ । ସ୍ଥାନୀୟ ଲୋକଙ୍କ ସହ ଭାବବିନିମୟ କରିବେ।
ଆହୁରି ମଧ୍ୟ ଓଡ଼ିଶାର ଖାଦ୍ୟପେୟ, ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ନୂଆ ନୂଆ ଅନୁଭୂତି ସାଉଁଟିବେ। ଏଥିପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୋଣାର୍କ ଇକୋ-ରିଟ୍ରିଟ୍ରେ ରହିବା ପାଇଁ ୪୦୦ ବୁକିଂ ହୋଇଛି । ସେହିପରି ଦାରିଙ୍ଗବାଡ଼ି ଓ ସାତକୋଶିଆରେ ୭୦ ଲେଖାଏଁ, ହୀରାକୁଦରେ ୨୫ ଓ ଭିତରକନିକାରେ ୮୫ ବୁକିଂ କରାଯାଇଛି। ଏହି ଇକୋ-ରିଟ୍ରିଟ୍ ଆସନ୍ତା ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ଚାଲିବ । ଅର୍ଥାତ ଦୀର୍ଘ ତିନି ମାସ ଧରି ପର୍ଯ୍ୟଟକମାନେ ଇକୋ ରିଟ୍ରିଟର ମଜା ନେଇପାରିବେ ।
ସୂଚନାଯୋଗ୍ୟ, ଗତ ବର୍ଷ ପ୍ରଥମ କରି କୋଣାର୍କରେ ଇକୋ-ରିଟ୍ରିଟ୍ ଆୟୋଜନ କରାଯାଇଥିଲା। ଏହାର ସଫଳତାକୁ ଦେଖି ଏଥର ୫ଟି ସ୍ଥାନରେ ଇକୋ-ରିଟ୍ରିଟ୍ କରାଯାଇଛି। ମହାମାରୀ କରୋନା କଟକଣା ଯୋଗୁ ଅନ୍ତର୍ଜାତୀୟ ପର୍ଯ୍ୟଟକ ଆସିବା ବାରଣ ରହିଛି । କିନ୍ତୁ ଦେଶୀୟ ଓ ପଡ଼ୋଶୀ ରାଜ୍ୟର ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ, ବିଭାଗ ପକ୍ଷରୁ ଆଗକୁ ଇକୋ-ରିଟ୍ରିଟ୍ର କଳେବର ବୃଦ୍ଧି କରିବାକୁ ବଡ଼ ଯୋଜନା ହେଉଛି । ଯଦି ଏଥର ଇକୋ-ରିଟ୍ରିଟ୍ ସଫଳ ହୁଏ, ତେବେ ଆସନ୍ତାବର୍ଷଠୁ ନୁହେଁ ବରଂ ସବୁଦିନ ପାଇଁ ଏହାକୁ ସ୍ଥାୟୀ ଭାବେ କରାଯିବା ସହ ଅନ୍ୟ ସ୍ଥାନକୁ ମଧ୍ୟ ସାମିଲ କରାଯାଇପାରେ ।