
ଦେଶରେ କରୋନା ଭାଇରସ୍ ମହାମାରୀ ଥମିବାର ନାଁ ନେଉନାହିଁ। ଦେଶରେ ପ୍ରତିଦିନ କରୋନା ଭାଇରସରେ ସଂକ୍ରମିତଙ୍କ ସୂଚନା ଜାରି ହେଉଛି। ଏହି ସମୟରେ ଦେଶର ଅନେକ ସ୍ଥାନରେ ଅନେକ ଦିନ ପରେ ଆଜିଠୁ ସ୍କୁଲ୍ ଖୋଲୁଛି। ଏହି କାରଣରୁ ସ୍କୁଲଗୁଡ଼ିକୁ କରୋନା ଭାଇରସ୍ ସହ ଜଡ଼ିତ ଗାଇଡଲାଇନ୍ ପାଳନ କରିବାକୁ ହେବ।କରୋନା ଭାଇରସ୍ ସଙ୍କଟ କାରଣରୁ ଦେଶରେ ଲକଡାଉନ୍ ଲାଗୁ କରାଯାଇଥିଲା। ଯାହା ପରେ ଏବେ ଦେଶରେ ଅନଲକ୍ ପ୍ରକ୍ରିୟା ଜାରି ରହିଛି। ଏହି ଅନଲକ୍ ପ୍ରକ୍ରିୟା ଅନୁସାରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ସ୍କୁଲ୍ ଖୋଲିବାର ଅନୁମତି ମଧ୍ୟ ଦେଇଛି। ଯାହା ଫଳରେ କେତେକ ରାଜ୍ୟ ଅକ୍ଟୋବର ୧୫ତାରିଖରୁ ସ୍କୁଲ୍ ଖୋଲିବାର ନିଷ୍ପତ୍ତି ନେଇଥିବାବେଳେ କେତେକ ରାଜ୍ୟ ଅକ୍ଟୋବର ୧୯ ଅର୍ଥାତ୍ ଆଜିଠୁ ସ୍କୁଲ୍ ଖୋଲୁଛି।ଭାରତରେ ଆଜିଠୁ ଉତ୍ତରପ୍ରଦେଶ,ପଞ୍ଜାବ ଏବଂ ସିକ୍କିମ ଭଳି ରାଜ୍ୟରେ ସ୍କୁଲ୍ ଖୋଲିବ। ସ୍କୁଲ୍ ଖୋଲିବାକୁ ନେଇ ରାଜ୍ୟ ସରକାର ଗାଇଡଲାଇନ୍ ମଧ୍ୟ ପ୍ରସ୍ତୁତ କରିଛନ୍ତି ଯାହାକୁ କରୋନା ମହାମାରୀରେ ପାଳନ କରିବାକୁ ପଡ଼ିବ। ଆଜିଠୁ ପଞ୍ଜାବରେ କଣ୍ଟେନମେଣ୍ଟ ଜୋନ୍ ବାହାରେ ୯-୧୨ରୁ ଶ୍ରେଣୀ ଯାଏଁ ଖୋଲାଯିବ।ସେହିପରି ଉତ୍ତରପ୍ରଦେଶରେ ମଧ୍ୟ ଆଜିଠୁ ସ୍କୁଲ୍ ଖୋଲିବ।
କରୋନା ମହାମାରୀକୁ ଆଖି ଆଗରେ ରଖି ୬ମାସରୁ ଅଧିକ ସମୟ ଯାଏଁ ସ୍କୁଲ୍ ବନ୍ଦ ରହିବା ପରେ ୯ରୁ ୧୨ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୟୁପିରେ ସ୍କୁଲ୍ ଖୋଲିବ। ଉତ୍ତରପ୍ରଦେଶରେ ଅଭିଭାବକଙ୍କ ଅନୁମତିରେ ହିଁ ପିଲା ସ୍କୁଲକୁ ଆସି ପାରିବେ। ଏହା ବ୍ୟତୀତ ସିକ୍କିମରେ ମଧ୍ୟ ସ୍କୁଲଗୁଡ଼ିକ ଆଜିଠୁ ଖୋଲିବ। ସିକ୍କିମରେ ବର୍ତ୍ତମାନ ଶିକ୍ଷା ବର୍ଷ ଫେବୃୟାରୀ ପର୍ଯ୍ୟନ୍ତ ଚାଲିବ।ଫର୍ଣ୍ଣିଚର,ଷ୍ଟେସନାରୀ,କ୍ୟାଣ୍ଟିନ୍,ଲ୍ୟାବ୍ ସହ ପୂରା ପରିସର ଏବଂ କ୍ଲାସ୍ ରୁମକୁ ପ୍ରତିଦିନ ସାନିଟାଇଜ କରିବାକୁ ପଡ଼ିବ। ଗୋଟିଏ କ୍ଲାସରେ ଗୋଟିଏ ଦିନରେ ୫୦ପ୍ରତିଶତ ପିଲା ହିଁ ବସିବେ। ଦ୍ବିତୀୟ ଦିନ ଅନ୍ୟ ପିଲାମାନେ ପଢ଼ିବେ। ୨ଛାତ୍ରଛାତ୍ରୀଙ୍କ ମଧ୍ୟରେ ୬ଫୁଟର ବ୍ୟବଧାନ ରଖିବାକୁ ହେବ। ଏହା ବ୍ୟତୀତ ସବୁଠୁ କଡ଼ା ନିୟମ ହେଉଛି ଏହା ଯେ କୌଣସି ଛାତ୍ରଛାତ୍ରୀ ନିଜ ଅଭିଭାବକଙ୍କ ବିନା ଲିଖିତ ଅନୁମତିରେ ସ୍କୁଲ୍ ଆସିପାରିବେ ନାହିଁ।ଏହା ବ୍ୟତୀତ ସୋସିଆଲ୍ ଡିସଟ୍ୟାନସିଂର ଧ୍ୟାନ ରଖିବାକୁ ପଡ଼ିବ। ଅଭିଭାବକ ନିଜେ ପିଲାଙ୍କୁ ଆଣିବେ ଏବଂ ନେଇଯିବେ। ପିଲାଙ୍କୁ ୟୁନିଫର୍ମରେ ଫୁଲ ସାର୍ଟ,ଫୁଲ ପ୍ୟାଣ୍ଟ ଏବଂ ଜୋତା ମୋଜା ପିନ୍ଧିବାକୁ ପଡ଼ିବ। ଗାଇଡଲାଇନ୍ସ ପାଳନ ଅନିବାର୍ଯ୍ୟ ରହିବ। କ୍ଲାସରୁମରେ ମାସ୍କ ଖୋଲିବାର ଅନୁମତି ମିଳିବ ନାହିଁ।