ଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

କଂଗ୍ରେସ ଅଧ୍ୟକ୍ଷ ବାଛିବେ ଗାନ୍ଧି ପରିବାର

ନୂଆଦିଲ୍ଲୀ: କଂଗ୍ରେସର ଆଭ୍ୟନ୍ତରୀଣ ନେତା ନିର୍ବାଚନ ସହ ଅଧ୍ୟକ୍ଷ ନିର୍ବାଚନକୁ ନେଇ ବହୁ ଦିନ ଧରି ଲାଗି ରହିଥିବା ଅସନ୍ତୋଷ ଦଳ ପାଇଁ ସବୁଠୁ ବଡ଼ ସମସ୍ୟା ସୃଷ୍ଟି କରିଛି। ଏହାହିଁ ଦଳର ପତନର କାରଣ ବୋଲି ରାଜନୀତିକ ବିଶାରଦମାନେ ଚିନ୍ତା କରୁଥିବା ଆଲୋଚିତ ହେଉଛି। କିନ୍ତୁ ଏହି ସମସ୍ୟାକୁ ଦୂର କରିବାକୁ କିଛି ଦିନ ତଳେ ଦଳ ନିଷ୍ପତ୍ତି ନେବା ସହିତ ଆସନ୍ତା ମାସରେ ମୁକ୍ତ ନିର୍ବାଚନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଏହାଦ୍ୱାରା ଦଳୀୟ ନେତାମାନଙ୍କ ଭିତରେ ଦୀର୍ଘ ଦିନରୁ ରହିଆସିଥିବା ଅସନ୍ତାଷ ଦୂର ହେବା ସହିତ ଦଳକୁ ଆହୁରି ସଂଗଠିତ କରାଯାଇପାରିବ ବୋଲି କୁହାଯାଉଛି। ହେଲେ ବୁଧବାର ଦଳ ପକ୍ଷରୁ ଯେଭଳି ସୂଚନା ଜାରି କରାଯାଇଛି ତଦ୍ୱାରା ଏହି ସମସ୍ୟା ଦୂର ହେବ କି ନାହିଁ ତାହା ପୁଣିଥରେ ପ୍ରଶ୍ନ ସୃଷ୍ଟି କରିଛି। କଂଗ୍ରେସର ଶୀର୍ଷ ନେତୃତ୍ୱ ପକ୍ଷରୁ ସବୁ ପିସିସି ସଭାପତିଙ୍କ ପ୍ରତି ଯେଉଁ ନିର୍ଦ୍ଦେଶନାମା ଜାରି କରାଯାଇଛି ତାହା ପଛରେ ଗାନ୍ଧୀ ପରିବାର ହିଁ ଅଧ୍ୟକ୍ଷ ବାଛିବେ ବୋଲି ପରୋକ୍ଷରେ ସ୍ପଷ୍ଟ ହୋଇଛି। ପିସିସି ସଭାପତିମାନଙ୍କୁ ଚୟନ କରିବାର କ୍ଷମତା ସୋନିଆ ଗାନ୍ଧିଙ୍କ ହାତରେ ଦେବାକୁ ପ୍ରତ୍ୟେକ ରାଜ୍ୟକୁ ପ୍ରସ୍ତାବ ପାରିତ କରିବାକୁ କୁହାଯାଇଛି। କେବଳ ସେତିକି ନୁହେଁ ,ଏଆଇସିସି ସଦସ୍ୟ ଚୟନ ମଧ୍ୟ ସୋନିଆଙ୍କ ହାତରେ ରହିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଆସନ୍ତା ମାସଠାରୁ କଂଗ୍ରେସର ସାଙ୍ଗଠନିକ ନିର୍ବାଚନ ଥିବା ବେଳେ ତାପୂର୍ବରୁ ଏହି ନିଷ୍ପତ୍ତି ଦଳରେ କମ୍ପନ ସୃଷ୍ଟି କରିଛି। ସୋନିଆ ଅଧ୍ୟକ୍ଷ ପଦ ନିର୍ବାଚନରୁ ଦୂରରେ ରହିବେ ବୋଲି ଦଳ ପରୋକ୍ଷରେ ଇଙ୍ଗିତ କରିଥିଲେ ହେଁ ପିସିସି ସଭାପତି ଏବଂ ଏଆଇସିସି ସଦସ୍ୟ ଚୟନ ନିଷ୍ପତ୍ତି ତାଙ୍କ ହାତରେ ରହିବାର ଉଦ୍ଦେଶ୍ୟ ଅନ୍ୟ କିଛି ଇଙ୍ଗିତ କରୁଛି। ଅଧ୍ୟକ୍ଷ ନିର୍ବାଚନରେ ଅଂଶଗ୍ରହଣ ପାଇଁ ରାହୁଲ ଗାନ୍ଧୀ ମଧ୍ୟ ଅମଙ୍ଗ ଥିବା କୁହାଯାଉଥିଲେ ହେଁ ତାଙ୍କୁ ହିଁ ମୁଖ୍ୟ କରିବାକୁ ଏଭଳି ଯୋଜନା କରାଯାଇଛି ବୋଲି କୁହାଯାଉଛି। ସୋନିଆଙ୍କ ଆନୁଗତ୍ୟରେ ରହିଥିବା ପିସିସି ସଭାପତି ଏବଂ ଏଆଇସିସି ସଦସ୍ୟମାନେ ଅଧ୍ୟକ୍ଷ ନିର୍ବାଚନ ବେଳେ ସୋନିଆଙ୍କ ପସନ୍ଦକୁ ଅଗ୍ରାଧିକାର ଦେବେ ଏବଂ ସେହି ଅନୁସାରେ ରାହୁଲ ନିର୍ବାଚିତ ହୋଇପାରନ୍ତି ବୋଲି କୁହାଯାଉଛି।

Show More

Related Articles

Back to top button