ନୂଆଦିଲ୍ଲୀ : ବିମାନ ଯାତ୍ରୀଙ୍କ ପାଇଁ ଭଲ ଖବର। ଆଗକୁ ଇତିହାସ ପାଲଟିଯିବ ‘ଏୟାରପ୍ଲେନ୍ ମୋଡ୍’। ବିମାନ ଯାତ୍ରା ସମୟରେ ମଝି ଆକାଶରୁ ଯାତ୍ରୀ କରିପାରିବେ କଲ୍। ଇଚ୍ଛା ଅନୁସାରେ ଦେଖିପାରିବେ ଅନଲାଇନ୍ ଭିଡିଓ। କାରଣ ଖୁବଶୀଘ୍ର ବିମାନ ଯାତ୍ରାବେଳେ ଯାତ୍ରୀଙ୍କୁ ମିଳିପାରେ ୫ଜି ସେବା। ଏବେ ଦେଶରେ ୫ଜି ସେବା ଆରମ୍ଭ ହୋଇଥିବାବେଳେ ଖୁବ୍ ଶୀଘ୍ର ଦେଶର ଅନ୍ୟ ସହରଗୁଡିକରେ ଏହି ସେବା ଉପଲବ୍ଧ ହେବ। ୪ଜି ତୁଳନାରେ ଅଧିକ ବେଗ ଥିବା ୫ଜି ଦ୍ୱାରା ଉପଭୋକ୍ତାମାନେ ଅନେକ ସୁବିଧା ପାଇପାରିବେ। ଏପରିକି ଲୋକେ ବିମାନ ଯାତ୍ରା ବେଳେ ଫୋନରେ କଥା ହୋଇପାରିବେ। ଏଥିପାଇଁ ଏବେ ୟୁରୋପୀୟ ସଂଘ (ଇୟୁ) ପ୍ରସ୍ତୁତି ଆରମ୍ଭ କରିଦେଇଛି। ଯାହାଦ୍ୱାରା ୟୁରୋପିଆନ୍ ଏୟାରଲାଇନ୍ସରେ ଇନଫ୍ଲାଇଟ୍ ୫ଜି ସେବା ମିଳିବ। ଏଥିପାଇଁ ମଧ୍ୟ କିଛି ସ୍ପେକ୍ଟ୍ରମ ଦିଆଯିବ। ଏହାହେଲେ ୫ଜି ସହ ୪ଜି, ୩ଜି ସେବା ମଧ୍ୟ ବିମାନରେ ମିଳିବ।
ଯାତ୍ରୀ ବିମାନରେ ବସିବା ପରେ ପିକୋ-ସେଲ୍ ବେସ ଷ୍ଟେସନ୍ ସହ ଯୋଡ଼ିହେବେ। ଯାହାକି ଗ୍ରାଉଣ୍ଡ ନେଟୱର୍କକୁ ସାଟେଲାଇଟ୍ ସହ ସଂଯୋଗ କରିବ। ଆଉ ଏହାଫଳରେ ଯାତ୍ରୀ, କଲ୍ ସହ ମେସେଜ୍ ଓ ଇଣ୍ଟରନେଟ୍ ବ୍ୟବହାର କରିପାରିବେ। ତେବେ ନିର୍ଦ୍ଦିଷ୍ଟ ଭାବେ କେବେଠୁ ବିମାନ ମଧ୍ୟରେ ୫ଜି ସେବା ମିଳିବ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ପୂର୍ବରୁ ବିମାନ ଯାତ୍ରାବେଳେ ଯାତ୍ରୀଙ୍କୁ ମୋବାଇଲ୍ ଫ୍ଲାଇଟ୍ ମୋଡରେ ରଖିବାକୁ କୁହାଯାଉଥିଲା। ବିଗତ କିଛି ବର୍ଷ ମଧ୍ୟରେ ଏଥିରେ କିଛିଟା ପରିବର୍ତ୍ତନ ଆସିଛି । ତେବେ ଇନଫ୍ଲାଇଟ୍ ୫ଜି ସେବା ପାଇଁ ନିରାପତ୍ତା ପ୍ରଭାବିତ ହେବ ନାହିଁ ବୋଲି କୁହାଯାଉଛି। କାରଣ କକ୍ପିଟ୍ରେ ଭିନ୍ନ ଫ୍ରିକ୍ୱେନ୍ସି ବ୍ୟବହାର କରାଯିବ। ଫୋନ୍ ପାଇଁ ୫ଜି ସ୍ପେକ୍ଟ୍ରମ୍ ଦିଆଯିବ। ଯେତେବେଳେ କି ବିମାନରେ କନେକ୍ଟିଭିଟି ୪.୨-୪.୪ ଜିଗାହର୍ଜ ରହିବ।