ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । କେନ୍ଦ୍ରାପଡ଼ା ଜିଲ୍ଲାକୁ ଯାତ୍ରୀବାହୀ ରେଳ ଚଳାଚଳ ପାଇଁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏନେଇ ଅନେକ ବର୍ଷ ଧରି ଜିଲ୍ଲାବାସୀମାନେ ଦାବି କରୁଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇନାହିଁ । ତେବେ ରାଜ୍ୟପାଳଙ୍କ ଚିଠି ପରେ କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କ ମନରେ ଆଶା ସଞ୍ଚାର ହୋଇଛି ।
ରାଜ୍ୟପାଳଙ୍କ ଚିଠିରେ ଉଲ୍ଲେଖ ରହିଛି ଯେ , କେନ୍ଦ୍ରାପଡ଼ା ଜିଲ୍ଲାକୁ ଯାତ୍ରୀବାହୀ ରେଳ ଚଳାଚଳ କଲେ ରାଜସ୍ୱ ବୃଦ୍ଧି ସହ ପର୍ଯ୍ୟଟନ ଶିଳ୍ପର ମଧ୍ୟ ବିକାଶ ଘଟିବ । ସେହିପରି ସ୍ବାଧୀନତାର ୭୬ତମ ବର୍ଷରେ ଦେଶ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଥିବା ବେଳେ ଜିଲ୍ଲାବାସୀଙ୍କର ଦୀର୍ଘବର୍ଷର ସ୍ବପ୍ନ ମଧ୍ୟ ପୂରଣ ହୋଇପାରିବ।
ତେବେ ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାକୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିଥିବା ବେଳେ “କେନ୍ଦ୍ରାପଡ଼ା ଜିଲ୍ଲା ବିକାଶ ପରିଷଦ” ନାମକ ଏକ ଅନୁଷ୍ଠାନର କର୍ମକର୍ତ୍ତା ରାଜ୍ୟପାଳଙ୍କୁ ଭେଟି ଜିଲ୍ଲାକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରି ଦାବିପତ୍ର ପ୍ରଦାନ କରିଥିଲେ । ବିଭିନ୍ନ ସମୟରେ ଜିଲ୍ଲାର ବିଭିନ୍ନ ରାଜନୈତିକ ଓ ସାମାଜିକ ସଙ୍ଗଠନ ପକ୍ଷରୁ ହରିଦାସପୁର-ପାରାଦ୍ୱୀପ ରୁଟରେ ଯାତ୍ରୀବାହୀ ରେଳ ଚଳାଚଳ ପାଇଁ ରେଳମନ୍ତ୍ରୀଙ୍କ ନିକଟରେ ଦାବି ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।