
ଏମିତି ଆଶା କେହି କରିନଥିବେ ଯେ, ୧୦ ଟଙ୍କିଆ ପ୍ୟାକେଟ୍ ଦହିର ମୂଲ୍ୟ ବଢି ୧୫ ଟଙ୍କା ହୋଇଯିବ। ଦର ବଢିବ ବୋଲି ପୂର୍ବରୁ ସ୍ଥିର ହୋଇଥିଲା। ହେଲେ ୧୦ ଟଙ୍କିଆ ଜିନିଷର ମୂଲ୍ୟ ସିଧା ୧୫ ଟଙ୍କା ହୋଇଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି। କାରଣ ପୂର୍ବରୁ ଜନତା ଦରଦାମରେ ବେହାଲ। ହୋଇ ସାରିଛି। ଆଉ ଏବେ ପ୍ୟାକେଟ୍ ବାଲା ଦହି ଏବଂ କ୍ଷୀର ଉପରେ ଅହେତୁକ ଦାମ ବଢିବା ଜନତାଙ୍କୁ ହଇରାଣରେ ପକାଇବ। କେନ୍ଦ୍ର ସରକାର ଗତ ମାସରେ ପ୍ରଥମ ଥର ପ୍ୟାକେଟ୍ ବାଲା ଦହିକୁ ଜିଏସଟି ପରିସରଭୁକ୍ତ କରିଥିଲେ। ଜୁଲାଇ ୧୮ରେ ଏହାକୁ ସମଗ୍ର ଦେଶରେ ଲାଗୁ କରାଯାଇଥିଲା। ସରକାର ପ୍ୟାକେଟ୍ କ୍ଷୀର ଉତ୍ପାଦ ଉପରେ ୫ ପ୍ରତିଶତ ଜିଏସଟି ନିର୍ଦ୍ଧାରଣ କରିଥିଲେ। ମାତ୍ର ଏବେ କମ୍ପାନୀ ମୂଲ୍ୟରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଦାମ ବଢାଇଛନ୍ତି। ଦେଶର ସମସ୍ତ ନାମୀଦାମୀ କମ୍ପାନୀ ପ୍ୟାକେଟ୍ ବିଶିଷ୍ଟ ଦହି ଯୋଗାଣ କରୁଛନ୍ତି। ଏଥିରେ ବ୍ରିଟାନିଆ ମଧ୍ୟ ସାମିଲ୍।
ବ୍ରିଟାନିଆ କମ୍ପାନୀ ଭାରତୀୟ ବଜାରରେ ୮୦ ଗ୍ରାମ, ୧୫୦ ଗ୍ରାମ ଏବଂ ୪୦୦ ଗ୍ରାମ ପ୍ୟାକେଟ୍ ବାଲା ଦହି ବିକ୍ରି କରୁଛି। ଏ ପର୍ଯ୍ୟନ୍ତ ବଜାରରେ ୮୦ ଗ୍ରାମ ପ୍ୟାକେଟ୍ ଦହିର ମୂଲ୍ୟ ୧୦ ଟଙ୍କା ଥିଲା। ମାତ୍ର ଆଜିଠୁ ବଜାରରେ ଏହି ୮୦ ଗ୍ରାମ ଦହି ପ୍ୟାକେଟ୍ ବ୍ରିଟାନିଆ ଦହିର ମୂଲ୍ୟ ୧୫ ଟଙ୍କାରେ ବିକ୍ରି ହେଉଛି। କମ୍ପାନୀ ଏହାର ଦାମ ୧୦ ଟଙ୍କାରୁ ସିଧାସଳଖ ୧୫ ଟଙ୍କା କରି ଦେଇଛି। ଗ୍ରାହକ ବର୍ତ୍ତମାନ ୧୦ ଟଙ୍କିଆ ପ୍ୟାକେଟ୍ ଦହିକୁ ଅଧିକ ୫ ଟଙ୍କା ଦେଇ କିଣିବାକୁ ବାଧ୍ୟ ହେଉଛି। ସରକାର ପ୍ୟାକେଟ୍ ଦହି ଉପରେ ୫ ପ୍ରତିଶତ ଜିଏସଟି ଲଗାଇଛନ୍ତି। ମାତ୍ର କମ୍ପାନୀଗୁଡିକ ଏବେ ଜିଏସଟିର ଯୁକ୍ତି ବାଢି ଦାମରେ ଅହେତୁକ ବୃଦ୍ଧି କରିଛନ୍ତି। ନିୟମ ଅନୁଯାୟୀ, ୫ ପ୍ରତିଶତ ଜିଏସଟି ଲାଗୁ ହେବାରୁ ୧୦ ଟଙ୍କିଆ ଦହିର ଦାମ ବଢି ୧୦ ଟଙ୍କା ୫୦ ପଇସା ହେବା ଉଚିତ୍। ମାତ୍ର କମ୍ପାନୀ ମନମୁଖୀ ଭବେ ଦାମ ବଢାଇଛନ୍ତି। ଏହାର ସିଧାସଳଖ ପ୍ରଭାବ ଜନତାଙ୍କ ଉପରେ ପଡିବାକୁ ଯାଉଛି।