ହେରା ପଞ୍ଚମୀ ମିଳନ
ଘୋଷଯାତ୍ରା ପରେ ପଞ୍ଚମ ଦିବସେ
ଷଷ୍ଠୀ ତିଥୀ ଅବସରେ
ଲକ୍ଷ୍ମୀ ନାରାୟଣ ନୟନ ମିଳନ
ଶୁଭ ହେରା ପଞ୍ଚମୀରେ।
ପଞ୍ଚଦଶ ଦିନ ଅନବସରରେ
ଜଗନ୍ନାଥ ଗୁପ୍ତେ ଶୁପ୍ତ
ଭାତ୍ରୁ ଭଗ୍ନୀ ସଙ୍ଗେ ନବ ଦିନ ବ୍ୟାପି
ଭକ୍ତ ମେଳେ ଲକ୍ଷ୍ମୀ କାନ୍ତ।
ସଅଳ ଫେରିବେ କଥା ଦେଇଥିଲେ
କମଳାଙ୍କୁ ଜଗଦୀଶ
ବିଳମ୍ବ ହେବାରୁ ମନେ ଦ୍ୱିଧା ବହି
ସିନ୍ଧୂଜେମା ହେଲେ ରୋଷ
ଜଗତ ଜନନୀ ସାଗର ନନ୍ଦିନୀ
ହୃଦ ଅଥୟ ବିକଳ
ପଡ଼ି ଦେଇଥିଲେ ପତ୍ନୀ ପାଶେ ହରି
କଳମ ଶାଗ ଚାଉଳ।
ସ୍ବାମୀଙ୍କ ଖବର ପୁଛିଲେ ମନ୍ଦିର
ପାର୍ଶ୍ଵ ଦେବଦେବୀ ପାଶେ
ବିମଳାଙ୍କ ଠାରୁ ପରାମର୍ଶ ପାଇ
ଚଳିଲେ ବିରହ ରୋଷେ।
ଭଣ୍ଡାର ଘରର ଲକ୍ଷ୍ମୀ ପ୍ରତିମାଟି
ଶୁଭ୍ର ପୁଷ୍ପେ ସୁସଜ୍ଜିତ
ପିତ ଲୋହିତ ବସ୍ତ୍ରେ ଆଚ୍ଛାଦିତ
ଅଳଙ୍କାରେ ଆଭୂଷିତ।
ଦେବୀ ବିମାନରେ ମହା ପଟୁଆରେ
ବାଦ୍ୟ ଘଣ୍ଟ ରୋଷଣୀରେ
ବଡ଼ ଠାକୁରଙ୍କ ଦର୍ଶନେ ଘରଣୀ
ଗମିଲେ ନିଶି ଅର୍ଦ୍ଧରେ।
ବହୁ ପ୍ରଶ୍ନବାଚୀ ହୃଦୟେ ଯନ୍ତ୍ରଣା
ନଦେଖି ଦୀର୍ଘ ଅବଧି
କିପରି ସହନ୍ତେ ବିରହ ବିଚ୍ଛେଦ
ସେବାମୁକ୍ତ ପ୍ରୀତି ସାଧ୍ୱୀ।
ରାଗ ନୁହେଁ ଏ ତ ଅନ୍ତରଙ୍ଗ ପ୍ରେମ
ଅଭିମାନ ଅଧିକାର
ସେହି ସିନା ରାଗେ ଭଲପାଏ ଯିଏ
ସମର୍ପି ହୃଦ ଅନ୍ତର।
ପନ୍ତି ଭୋଗ ଖାଇ ବାଟେ ରହି ରହି
ଦ୍ରୁତ ବେଗେ ସେ ଚଳନ୍ତି
ନନ୍ଦିଘୋଷ ରଥ ସମ୍ମୁଖରେ ଉଭା
ଚାମର ଆଳତି ନୀତି।
ଗୁଣ୍ଡିଚା ମନ୍ଦିରେ ପ୍ରବେଶି ମା ପଦ୍ମା
ଚକାନୟନକୁ ଚାହିଁ
ବିମଳା ପ୍ରଦତ୍ତ ମୋହଚୂର୍ଣ୍ଣ ପ୍ରଭୁ
ଶ୍ରୀଅଙ୍ଗେ ଦେଲେ ପକାଇ।
ଅନ୍ତର୍ଯ୍ୟାମୀ ଦେଲେ ବଶୀଭୂତ ହୋଇ
ଅଧର ଚୁମ୍ବନ ମାଳ
ତିନିଦିନ ପରେ ଫେରିବେ ମନ୍ଦିରେ
ତୋଷି ଦେଲେ ଆଜ୍ଞାମାଳ।
କାଲି ରଥ ଯିବ ଦକ୍ଷିଣ ମୋଡକୁ
କଥା ଦେଲେ ଭାବଗ୍ରାହୀ
ଟେରା ପଡ଼ିବାରୁ ନାକଚଣା ପଥେ
ଫେରିଲେ ଅଶାନ୍ତ ହୋଇ ।
ନୀରବେ ନିଶବ୍ଦେ ଗମିଲେ ମନ୍ଦିରେ
ହେରା ଗୋଇରି ସାହି ବାଟ
ଅନୁତାପାନଳେ ଦଗ୍ଧିଭୂତ ପ୍ରାଣ
ହେଉଥାଏ ଛଟ ପଟ।
ତଥାପି ସଂଶୟ ମନରେ ସଞ୍ଚୟ
ଗୁପ୍ତ ବୃନ୍ଦାବନେ ରାସ
କମଳା ବାମାଙ୍ଗୀ ଶ୍ରୀରାଧା ଦକ୍ଷିଣେ
ପ୍ରଭୁଙ୍କର ହୃଷୀକେଶ।