
ଦେଶବ୍ୟାପୀ ପେଟ୍ରୋଲିୟମ ଉତ୍ପାଦ ଓ ପ୍ରାକୃତିକ ଗ୍ୟାସର ଯୋଗାଣକୁ ସ୍ଥିର ଓ ବିଘ୍ନହୀନ ରଖିବାକୁ କେନ୍ଦ୍ର ସରକାର ଉଚ୍ଚସ୍ତରୀୟ ପଦକ୍ଷେପ ଗ୍ରହଣ କରିଛି। ଏହାର ଅଂଶ ଭାବେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏକ ସମୀକ୍ଷା ବୈଠକ ଆଭାସୀ ମାଧ୍ୟମରେ ଆୟୋଜିତ ହୋଇଥିଲା।
ଏହି ବୈଠକରେ ବିଭିନ୍ନ ରାଜ୍ୟର ଶୀର୍ଷସ୍ତରୀୟ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇଥିଲେ। ଓଡିଶା ପକ୍ଷରୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ସଂଜୟ କୁମାର ସିଂହ ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।
ବୈଠକରେ ଦେଶର ସମସ୍ତ ଅଞ୍ଚଳରେ ପେଟ୍ରୋଲ, ଡିଜେଲ ଓ ସିଏନଜିର ଯଥାବତ୍ ଯୋଗାଣ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। କୌଣସି ପରିସ୍ଥିତିରେ ଯୋଗାଣ ବ୍ୟବସ୍ଥା ବାଧାପ୍ରାପ୍ତ ନହେବାକୁ ନିର୍ଦ୍ଦେଶ ଜାରି ହୋଇଛି।
ସରକାର ସ୍ପଷ୍ଟ କରିଛି ଯେ, ଇନ୍ଧନ ଅଭାବ କିମ୍ବା ଦର ବୃଦ୍ଧି ସମ୍ପର୍କିତ ଯେଉଁ ଗୁଜବ ପ୍ରଚାର ହେଉଛି, ସେଗୁଡିକର କୌଣସି ଆଧାର ନାହିଁ। ତୈଳ ବିଶୋଧନାଗାରଗୁଡ଼ିକ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟରତ ଥିବାରୁ ଆପୂର୍ତ୍ତି ସ୍ଥିତି ସାଧାରଣ ରହିଛି। ଏହି ପରିପ୍ରେକ୍ଷିତରେ ଲୋକମାନଙ୍କୁ ଅନାବଶ୍ୟକ ଭାବେ ଜାଳେଣି ସଂଗ୍ରହ ନ କରିବାକୁ ଅନୁରୋଧ କରାଯାଇଛି।
ବ୍ୟବସାୟିକ ସଂସ୍ଥାମାନଙ୍କ ମଧ୍ୟରେ ଏଲପିଜି ପରିବର୍ତ୍ତେ ପିଏନଜି ବ୍ୟବହାରକୁ ପ୍ରୋତ୍ସାହନ ଦେବାକୁ ମଧ୍ୟ ଆଲୋଚନା ହୋଇଛି। ଏଥିପାଇଁ ସଂପୃକ୍ତ ଏଜେନ୍ସୀମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି।
ସେଥିସହ ଜାଳେଣି ମହଜୁଦ ଓ କଳାବଜାରୀକୁ ରୋକିବା ପାଇଁ ‘ଅତ୍ୟାବଶ୍ୟକ ସାମଗ୍ରୀ ଆଇନ’ ଅନୁଯାୟୀ କଡ଼ା ନିରୀକ୍ଷଣ ଓ କାର୍ଯ୍ୟାନୁଷ୍ଠାନ ନିବାହ କରିବାକୁ ସମସ୍ତ ରାଜ୍ୟକୁ ପରାମର୍ଶ ଦିଆଯାଇଛି।
ସାମାଜିକ ଗଣମାଧ୍ୟମରେ ପ୍ରଚାର ହେଉଥିବା ଭ୍ରାନ୍ତିକର ସୂଚନା ଉପରେ ନଜର ରଖି ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଏହାସହ ଅବସ୍ଥାର ନିରନ୍ତର ନିରୀକ୍ଷଣ ପାଇଁ ଜିଲ୍ଲା ଓ ରାଜ୍ୟ ସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସକ୍ରିୟ କରି ଦୈନିକ ରିପୋର୍ଟ ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ କରାଯିବାକୁ ନିଷ୍ପତ୍ତି ହୋଇଛି।



