
ଗୁୱାହାଟୀ: ଆସାମରେ ପୁଣିଥରେ ଏନଡିଏ ସରକାର ଗଠନ ହେବାକୁ ଯାଉଛି। ଆଗାମୀ ମେ ୧୨ ତାରିଖରେ ହିମନ୍ତ ବିଶ୍ୱ ଶର୍ମା ଦ୍ୱିତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ନୂତନ ମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କ ସହ ସେ ଶପଥ ଗ୍ରହଣ କରିବେ।
ଆସାମ ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ଭାରୀ ବିଜୟ ହାସଲ କରି ଲଗାତାର ତୃତୀୟ ଥର ପାଇଁ କ୍ଷମତାକୁ ଫେରିଛି। ୧୨୬ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଏନଡିଏ ୧୦୨ଟି ଆସନ ଜିତି ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିଛି। ବିଜେପି ଏକାକୀ ୮୨ଟି ଆସନ ଜିତି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିବାବେଳେ ଏହାର ସହଯୋଗୀ ଦଳ ଆସାମ ଗଣ ପରିଷଦ (ଏଜିପି) ଓ ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ (ବିପିଏଫ) ୧୦ଟି ଲେଖାଏଁ ଆସନ ଜିତିଛନ୍ତି।
କେନ୍ଦ୍ର ମନ୍ତ୍ରୀ ଓ ଆସାମ ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଜେପି ନଡ୍ଡା କହିଛନ୍ତି ଯେ ବିଜେପିର ଆଠ ଜଣ ବିଧାୟକ ବିଧାୟକ ଦଳ ନେତା ଭାବେ ହିମନ୍ତ ବିଶ୍ୱ ଶର୍ମାଙ୍କ ନାମ ପ୍ରସ୍ତାବ କରିଥିଲେ। ପରେ ହିମନ୍ତ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ଭେଟି ନୂତନ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ।
ଏହା ସହ ଆସାମରେ ଲଗାତାର ତୃତୀୟ ଥର ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଗଠନର ପଥ ସୁଗମ ହୋଇଛି।



