ହୀରାକୁଦ ଡ୍ୟାମ ତିଆରି ଦିନରୁ ଓଡିଶାବାସୀ ଦେଖିସାରିଲେଣି ୨୧ ଟି ବଡ ବନ୍ୟା | ଏହି ବହୁମୁଖୀ ପ୍ରକଳ୍ପ ଭରସାରେ ଓଡିଶାର ବନ୍ୟାସ୍ଥିତି ନିର୍ଭର କରୁଥିବା ବେଳେ ହୀରାକୁଦକୁ ନେଇ ସଫଳ ହୋଇନି ଓଡିଶା | ତେବେ ଡ୍ୟାମ ଡିଜାଇନରେ ତ୍ରୁଟି ଓ ପୁରୁଣା ରୁଲ୍ କର୍ଭରେ ଜଳ ପରିଚାଳନା ଅଭିଯୋଗ ଆଣିଛନ୍ତି ଜଳ ସ୍ବେଚ୍ଛାସେବୀ | ସେପଟେ ଡ୍ୟାମ୍ ଡିଜାଇନ ତ୍ରୁଟିକୁ ଖଣ୍ଡନ କରିବା ସହ ଅନ୍ୟାନ୍ୟ କାରଣ ଦେଖାଇଛନ୍ତି ଡ୍ୟାମ କର୍ତ୍ତୃପକ୍ଷ | ୧୯୩୭ ମସିହାରେ ମହାନଦୀରେ ଆସିଥିଲା ବଡ଼ ବନ୍ୟା | ବୁଡ଼ିଥିଲା ଉପକୂଳ ଓଡ଼ିଶାର ଅର୍ଦ୍ଧାଧିକ ଜିଲ୍ଲା | ଫଳରେ ସେତେବେଳେ ମହାନଦୀ ରିଭର ଭ୍ୟାଲି ପ୍ରୋଜେକ୍ଟ ପାଇଁ କଳ୍ପନା କରିଥିଲେ ସରକାର | ତେବେ ଏ ସଂକ୍ରାନ୍ତରେ ସେତେବେଳର ସେଣ୍ଟ୍ରାଲ ଓ୍ବାରଟ ଓ୍ବେଜ ଇରିଗେସନ ଆଣ୍ଡ ନାଭିଗେସନ କମିଶନକୁ ଇଂଜିନିୟର ଅଯୋଦ୍ଧାନାଥ ଖୋସଲା ଏକ ପୂର୍ଣ୍ଣାଙ୍ଗ ପ୍ରୋଜେକ୍ଟ ରିପୋର୍ଟ ଦେଇଥିଲେ | ଏହି ରିଭର ଭ୍ୟାଲି ପ୍ରୋଜେକ୍ଟକୁ ସରକାର ମଞ୍ଜୁର କରିବା ସହ, ହୀରାକୁଦ ସମେତ ଅନୁଗୋଳର ଟିକରପଡ଼ା, କଟକର ନରାଜରେ ୩ଟି ଡ୍ୟାମ୍ କରିବାକୁ ନିଷ୍ପତ୍ତି ନେଇଥିଲେ | ହୀରାକୁଦ ତ କାର୍ଯ୍ୟକ୍ଷମ ହୋଇଗଲା ହେଲେ ବିଭିନ୍ନ କାରଣ ଯୋଗୁଁ ଟିକରପଡ଼ା ଓ ନରାଜ ଡ୍ୟାମ୍ ହୋଇପାରିଲା ନାହିଁ | ଫଳରେ ହୀରାକୁଦ ଉପରେ ନିର୍ଭର କରୁଛି ସାରା ଓଡ଼ିଶାର ବନ୍ୟା ସ୍ଥିତି | ହେଲେ ଏତେ ବଡ଼ ପ୍ରକଳ୍ପ ସତ୍ତ୍ବେ ହୀରାକୁଦ ଜଳ ପାଇଁ ଓଡ଼ିଶାରେ ସୃଷ୍ଟି ହୋଇଛି ୨୧ ଟି ବଡ଼ ବନ୍ୟା |
୬୪ଟି ସ୍ଳୁଇସ୍ ଗେଟ୍ ଓ ୩୪ ଟି କ୍ରାଏଷ୍ଟ ଗେଟ୍ ଥିବା ହୀରାକୁଦ ଜଳଭଣ୍ଡାରରେ ୧୯୮୦ ମସିହାରେ ସର୍ବାଧିକ ୮୮ ଟି ଗେଟ୍ ଖୋଲିବାକୁ ପଡ଼ିଥିଲା | ଆଉ ଓଡ଼ିଶା ଦେଖିଥିଲା ବଡ଼ ବନ୍ୟା | ତେବେ ଏସବୁ ପାଇଁ ଡ୍ୟାମ୍ ଡିଜାଇନରେ ତ୍ରୁଟି ଦାୟୀ ବୋଲି କହିଛନ୍ତି ଜଳ ସ୍ବେଚ୍ଛାସେବୀ ରଂଜନ ପଣ୍ଡା | ଏହା ସହ ପୁରୁଣା ରୁଲ୍ କର୍ଭ ଅନୁସାରେ ଏବେବି ଜଳ ପରିଚାଳନା ହେଉଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି | ତେବେ ରଞ୍ଜନ ପଣ୍ଡାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ହୀରାକୁଦ ଡ୍ୟାମ୍ ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ । ତାଙ୍କ କହିବା କଥା କ୍ୟାଚମେଣ୍ଟ ଅଞ୍ଚଳକୁ ଦେଖିଲେ ହୀରାକୁଦ ବନ୍ଧ ଛୋଟ ପଡ଼ିଯାଉଛି | ବର୍ତ୍ତମାନ ହୀରାକୁଦର ଜଳଧାରଣା କ୍ଷମତା ୬୩୦ ଫୁଟ ରହିଥିବା ବେଳେ, ୪ ଲକ୍ଷ ମିଲିୟନ ଏକର ଫୁଟ ପାଣି ରହି ପାରିବ | ହେଲେ ପ୍ରତିବର୍ଷ ୨୪ ଲକ୍ଷ ମିଲିୟନ ଏକର ଫୁଟ ପାଣି ଆସୁଛି | ଫଳରେ ଉପରମୁଣ୍ଡରେ ୮୩ ହଜାର ୪୦୦ ବର୍ଗ କିଲୋମିଟର ଓ ତଳମୁଣ୍ଡରେ ୪୮ ହଜାର ୨୦୦ ବର୍ଗ କିଲୋମିଟର ରହିଥିବା କ୍ୟାଚମେଣ୍ଟ ଅଞ୍ଚଳ ପାଇଁ ହୀରାକୁଦ ଡ୍ୟାମ୍ ଛୋଟ ହୋଇଯ଼ାଇଛି | ଅପରପକ୍ଷରେ ପୂର୍ବ ପ୍ରୋଜେକ୍ଟ ଅନୁସାରେ ଟିକରପଡ଼ା ଓ ନରାଜରେ ଡ୍ୟାମ୍ ହୋଇଥିଲେ, ବନ୍ୟା ନିୟନ୍ତ୍ରଣରେ କୌଣସି ଅସୁବିଧା ହୋଇନଥାନ୍ତା ବୋଲି କହିଛନ୍ତି ଆନନ୍ଦ ଚନ୍ଦ୍ର ସାହୁ । ତେବେ ଜଳ ପରିଚାଳନା ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବସୁଥିବା ବୈଠକ ମଧ୍ୟ ଏବର୍ଷ ବସିପାରିନାହିଁ | ଫଳରେ ଜଳର ସୁପରିଚାଳନା ନେଇ ପ୍ରଶ୍ନ ଉଠିଛି ।