ଆସନ୍ତା ୧୧ରେ ହୀରାକୁଦରୁ ଛଡ଼ାଯିବ ଚଳିତବର୍ଷର ପ୍ରଥମ ବନ୍ୟାଜଳ
ସମ୍ବଲପୁରସ୍ଥିତ ହୀରାକୁଦ ଡ୍ୟାମ୍ରୁ ଜୁଲାଇ ୧୧ରେ ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ। ପୂର୍ବାହ୍ନ ୧୧ଟାରେ ଜଳଭଣ୍ଡାର ଗେଟ୍ ଖୋଲାଯିବ ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ସମ୍ବଲପୁର, ସୋନପୁର, କଟକ, ବୌଦ୍ଧ, ଖୋର୍ଦ୍ଧା, କନ୍ଧମାଳ, ଅନୁଗୋଳ, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର ଏବଂ ପୁରୀ ଜିଲାପାଳଙ୍କୁ ଅବଗତ କରାଯାଇଛି।

ସମ୍ବଲପୁରସ୍ଥିତ ହୀରାକୁଦ ଡ୍ୟାମ୍ରୁ ଜୁଲାଇ ୧୧ରେ ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ। ପୂର୍ବାହ୍ନ ୧୧ଟାରେ ଜଳଭଣ୍ଡାର ଗେଟ୍ ଖୋଲାଯିବ ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ସମ୍ବଲପୁର, ସୋନପୁର, କଟକ, ବୌଦ୍ଧ, ଖୋର୍ଦ୍ଧା, କନ୍ଧମାଳ, ଅନୁଗୋଳ, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର ଏବଂ ପୁରୀ ଜିଲାପାଳଙ୍କୁ ଅବଗତ କରାଯାଇଛି। ଏଥିସହ ଡ୍ୟାମ୍ ତଳମୁଣ୍ଡରେ ବସବାସ କରୁଥିବା ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ମିଳିଥିବା ରିପୋର୍ଟ ଅନୁଯାୟୀ, ବୁଧବାର ଡ୍ୟାମ୍ର ଜଳସ୍ତର ୬୦୭.୭୫ ଫୁଟ୍ ରହିଥିଲା। ଡ୍ୟାମ୍କୁ ପ୍ରତି ସେକେଣ୍ଡରେ ୪୧,୨୧୯ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨୦,୮୦୬ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ସେହିପରି ବିଦ୍ୟୁତ୍ ଉତ୍ପାଦନ ପାଇଁ ୧୬,୪୬୮ କ୍ୟୁସେକ୍, ବିଭିନ୍ନ କେନାଲରେ ୪୦୬୬ କ୍ୟୁସେକ ଓ ଶିଳ୍ପ ପାଇଁ ୨୭ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ରୁଲ୍ କର୍ଭ ଅନୁସାରେ ଜୁଲାଇରେ ଡ୍ୟାମରେ ୫୯୦ରୁ ୫୯୫ ଫୁଟ୍ ଜଳସ୍ତର ରହିବା କଥା। ହେଲେ ଏବେ ୬୦୭.୭୫ ଫୁଟ୍ ରହିଛି। ଉପମୁଣ୍ଡରେ ବର୍ଷା ହେଉଛି। ଏହାକୁ ଦୃଷ୍ଟିରେ ରଖି ବନ୍ୟାଜଳ ନିଷ୍କାସନ କରାଯିବାକୁ ନିଷ୍ପତ୍ତି ହୋଇଛି।


