
ଗୁଜୁରାଟର ବିକାଶ ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀ ଆଜି ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଲୋକଙ୍କର ସ୍ୱାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ଆଜି ଆଧୁନିକୀକରଣ ହସ୍ପିଟାଲର ଶିଳାନ୍ୟାସ କରାଯାଇଛି। ଯେପରି ଚିକିତ୍ସା ସୁବିଧା ସମସ୍ତେ ପାଇପାରିବେ। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଗୁଜୁରାଟ ଗାନ୍ଧିନଗର ନିର୍ବାଚନ ମଣ୍ଡଳୀରେ ଆଜି ବିଭିନ୍ନ କାର୍ଯ୍ୟକ୍ରମର ଶିଳାନ୍ୟାସ କରିବାସହ ବିଭିନ୍ନ ବିକାଶମୁଖୀ କାର୍ଯ୍ୟକ୍ରମର ଆଲୋଚନା କରିଛନ୍ତି। କାଲୋଲରେ ପହଞ୍ଚି ଦୁଇଟି ଡାକ୍ତରଖାନାର ଶିଳାନ୍ୟାସ କରିଛନ୍ତି। ସେ ଏକ ଟ୍ରଷ୍ଟ ଚଳାଚଳ କରୁଥିବା ଡାକ୍ତରଖାନା ସହିତ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବି କରିଛନ୍ତି। ଶାହା ୭୫୦ ଶଯ୍ୟା ବିଶିଷ୍ଟ ଆଦର୍ଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲର ଶିଳାନ୍ୟାସ କରିଛନ୍ତି। ଏହି ହସ୍ପିଟାଲ ଉମିୟା ମାତା କଦଭା ପାଟିଦାର ଶିକ୍ଷା ଏବଂ ସମାଜ ସେବା ଟ୍ରଷ୍ଟ ଦ୍ୱାରା ନିର୍ମାଣ ହେବ। ଏତଦ୍ବ୍ୟତୀତ କେନ୍ଦ୍ର ଗୃହମନ୍ତ୍ରୀ ଶାହା ଏକ ଇଏସଆଇସି ହସ୍ପିଟାଲର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି। କାଲୋଲରେ ବର୍ତ୍ତମାନର ୫୦ ଶଯ୍ୟା ବିଶିଷ୍ଟ ପୁରୁଣା ଡାକ୍ତରଖାନାକୁ ୧୫୦ ଶଯ୍ୟା ବିଶିଷ୍ଟ ନବୀକରଣ କରାଯାଇଛି। ଶାହା ଏହି ଅବସରରେ ଯୋଗ ଦେଇ ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆଙ୍କୁ ମଧ୍ୟ ଏଥିରେ ଯୋଗ ଦେବାକୁ ଅନୁରୋଧ କରିଥିଲେ। ତୁରନ୍ତ ଡାକ୍ତରଖାନା ସହିତ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ କହିଥିଲେ। ଖୁବଶୀଘ୍ର ଏହାର ଶଯ୍ୟା ସଂଖ୍ୟା ୮୫୦ ହେବାସହ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଆଉ ଦୁଇ ହସ୍ପିଟାଲ କରାଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଶାହା କହିଛନ୍ତି। ଏହାସହ ଶାହା ଅପରାହ୍ନରେ ଗୁଜୁରାଟ ୟୁନିଭର୍ସିଟି ଆଣ୍ଡ ଟେକ୍ନୋଲୋଜିର ଏକ ନୂଆ ଗୃହର ଶିଳାନ୍ୟାସ କରିଛନ୍ତି। ପରେ ଶାହା ଅମ୍ବୋଡର ମହାକାଳୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ।