ସମ୍ବଲପୁର : ପାରିବାରିକ କଳହର କରୁଣ ପରିଣତି । ସାମାନ୍ୟ ବଚସାରୁ ନିଜ ପତ୍ନୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ । ମ଼ୃତ୍ୟୁ ପରେ ପତ୍ନୀର ଶବକୁ ନେଇ ନିକଟସ୍ଥ ଜଙ୍ଗଲରେ ପୋତିଦେଲା । ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରେ । ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ହତ୍ୟାକାରୀ ସ୍ୱାମୀକୁ ଗିରଫ କରିଛି ।
ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା ଗୋଗୁଆ ପଞ୍ଚାୟତ ମଙ୍ଗଳପୁର ଗ୍ରାମରେ ବାସ କରନ୍ତି ମାଧବ ଶବର ଏବଂ ପତ୍ନୀ ପ୍ରମିଳା ଶବର । ଗତ ୧୦ ତାରିଖରେ ପତି ,ପତ୍ନୀ ଦ୍ୱୟଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ବଚସା ଆରମ୍ଭ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ମାଧବ ହଠାତ୍ ପତ୍ନୀ ବିମଳା ଶବରକୁ ଏକ ଠେଙ୍ଗାରେ ମାଡପିଟ୍ କରିଥିଲା , ଫଳରେ ଘଟଣାସ୍ଥଳରେ ପତ୍ନୀ ବିମଳାର ମୃତ୍ୟୁ ହୋଇଥିଲା । ଭୟରେ ମୃତ ପତ୍ନୀର ଶବକୁ ନେଇ ୧୧ ତାରିଖରେ ନିକଟସ୍ଥ ପତରା ଜଙ୍ଗଲରେ ଗାତ ଖୋଳି ପୋତି ଦେଇଥିଲା । ମାଧବର ଚାଲିଚଳନ ଦେଖି ଗ୍ରାମବାସୀମାନେ ସନ୍ଦେହ କରି ପଚାରିବାରୁ ସେ ଝାଡାରେ ମରିଯାଇଥିବା ଗ୍ରାମବାସୀଙ୍କୁ କହିଥଲା । ଗତ ୧୪ ତାରିଖରେ ଗ୍ରାମବାସୀମାନେ ଏକତ୍ର ହୋଇ କିସିଣ୍ଡା ଥାନାରେ ଲିଖିତ ଅଭିଯୋଗ କଲାପରେ କିସିଣ୍ଡା ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଆସିଥିଲା । ୧୫ ତାରିଖରେ ରେ କିସିଣ୍ଡା ପୁଲିସ ଟିମ୍ ଏବଂ ସମ୍ବଲପୁରରୁ ସାଇଣ୍ଟିଫିକ୍ ଟିମ୍ ଆସି ଅଭିଯୁକ୍ତକୁ ପଚରାଉଚରା କରିବା ସହ ଶବ ପୋତିଥିବା ଜଙ୍ଗଲକୁ ଯାଇ ତଦନ୍ତ କରିଥିଲେ । ସେ ପୁଲିସଆଗରେ ସବୁ ସତ ଉଗାଳି ଥିଲା ।
ଗତ ୧୪ ରୁ ମାଧବକୁ ଅଟକ ରଖିଥିବା ବେଳେ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି କିସିଣ୍ଡା ପୁଲିସପ୍ରକାଶ କରିଛି । ଅଭିଯୁକ୍ତ ମାଧବ ଓ ମୃତ ପତ୍ନୀ ମିଶି ଜଙ୍ଗଲରୁ ଶିଆରୀ ପତ୍ର , ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ପ୍ରତିପୋଷଣ କରୁଥିଲା । ଆଦିବାସୀ ସଂପ୍ରଦାୟର ହୋଇଥିବାରୁ ସବୁ ସମୟରେ ସେମାନେ ପତିପତ୍ନୀ ନିଶା ସେବନ କରିଥାନ୍ତି । ନିଶାଗ୍ରସ୍ତ ହୋଇ ଏପରି କାଣ୍ଡ କରିଥିବା ଅନୁମାନ କରାଯାଉଛି ।