ବାଲେଶ୍ୱର : ଯୌତୁକ ପାଇଁ ସ୍ତ୍ରୀକୁ ପିଟିପିଟି ଚେତାଶୁନ୍ୟ କଲା ସ୍ୱାମୀ । ବିବାହର ୧୫ ବର୍ଷ ହେବା ପରେ ମଧ୍ୟ ୨ଲକ୍ଷ ଟଙ୍କା ଯୌତୁକ ଦାବିକରି ଏଭଳି କାଣ୍ଡ ଘଟାଇଛନ୍ତି ଲୋଭୀ ସ୍ୱାମୀ । ଖବର ପାଇ ଘଟଣାସ୍ଥଳରେ ବାପଘର ଲୋକେ ପହଞ୍ଚି ଝିଅକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିବା ସହ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ, ନୀଳଗିରି ଥାନା ଅଧୀନସ୍ଥ ବାଉଁଶବଣିଆ ଗାଁର ସୁମତୀଙ୍କୁ ୧୫ବର୍ଷ ତଳେ ଶିଳ୍ପାଞ୍ଚଳ ଥାନା ଅଧୀନସ୍ଥ ଶ୍ରୀକୃଷ୍ଣପୁର ଗାଁର ଗୁରା ବେହେରା ବିବାହ କରିଥିଲେ । ସ୍ୱାମୀ ଗୁରା ବିଦ୍ୟୁତ୍ ବିଭାଗରେ ଚାକିରି କରିଛନ୍ତି । ବିବାହ ସମୟରେ ବାପଘରୁ ସମସ୍ତ ଯାନି ଯୌତୁକ ଆଣିଥିଲେ ମଧ୍ୟ କିଛି ମାସ ପରେ ସ୍ୱାମୀ ସମେତ ଶାଶୁଘର ଲୋକେ ଅଧିକ ୨ଲକ୍ଷ ଟଙ୍କା ଯୌତୁକ ମାଗିଥିଲେ । ଯେଉଁଥି ପାଇଁ ପରିବାର ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସ୍ୱାମୀ ଗୁରା,ଶାଶୁ କମଳିନୀ, ଦିଅର ଆଶିଷ, ଯାଆ ସୁଜାତା, ନଣନ୍ଦ ଖୁଲଣା ଦାସ, ନୟନା ବିଶୋଇ, ନଣଦେଇ ଉମାକାନ୍ତ ଦାସ ପ୍ରମୁଖ ସଂଘବଦ୍ଧ ଭାବେ ଏକ ରୁଦ୍ଧ କୋଠରୀରେ ପୂରାଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଖବର ପାଇ ସୁମତୀର ଭାଇ ଲୋକନାଥ ସ ଓ ସଂର୍ପକୀୟମାନେ ପହଞ୍ଚି ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାରକରି ନୀଳଗିରି ମେଡିକାଲରେ ଭର୍ତ୍ତି କରିଥିଲେ । ଅଭିଯୋଗ ପାଇବା ପରେ ନୀଳଗିରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।