ଦେଶ ବିଦେଶମୁଖ୍ୟ ଖବରରାଜନୀତି

ଗୁଜରାଟ ବିଧାନସଭା ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିଲେ, ବଦଳାଇବ ନରେନ୍ଦ୍ର ମୋଦି ଷ୍ଟାଡିୟମର ନାଁ

ଅହମଦାବାଦ: କଂଗ୍ରେସ ଯଦି ଗୁଜରାଟ ବିଧାନସଭା ନିର୍ବାଚନରେ କ୍ଷମତାକୁ ଆସିବ, ତା’ହେଲେ ଅହମଦାବାଦରେ ଥିବା ନରେନ୍ଦ୍ର ମୋଦି ଷ୍ଟାଡିୟମର ନାଁ ବଦଳାଇବ। ନରେନ୍ଦ୍ର ମୋଦି ବଦଳରେ ଷ୍ଟାଡିୟମର ନାଁ ସର୍ଦ୍ଦାର ପଟେଲ ରଖାଯିବ ବୋଲି ଆଜି କଂଗ୍ରେସ ଜାରି କରିଥିବା ତା’ ଇସ୍ତାହାରରେ ପ୍ରତିଶ୍ରୃତି ଦେଇଛି।

ଅହମଦାବାଦରେ ଥିବା ଏହି ଷ୍ଟାଡିୟମଟି ପ୍ରଥମେ ମୋଟେରା ଷ୍ଟାଡିୟମ ନାଁରେ ପରିଚିତ ଥିଲା। ତେବେ ନବୀକରଣ ପରେ ଏହି ଷ୍ଟାଡିୟମର ନାଁ ନରେନ୍ଦ୍ର ମୋଦି ଷ୍ଟାଡିୟମ ରଖାଯାଇଛି। ଏହା ବିଶ୍ୱର ସବୁଠାରୁ ବଡ଼ ଷ୍ଟାଡିୟମ। କିନ୍ତୁ କଂଗ୍ରେସ ଏହାର ନାମକରଣକୁ ବିରୋଧ କରିଛି। ଏଥିସହ କ୍ଷମତାକୁ ଆସିଲେ ଷ୍ଟାଡିୟମର ନାଁ ବଦଳା ଯିବ ବୋଲି କହିଛି।

ଆସନ୍ତା ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ଇସ୍ତାହାର ଜାରି କରି କଂଗ୍ରେସର ବରିଷ୍ଠ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି, “ଯଦି କଂଗ୍ରେସ ସରକାର ଗଠନ କରିବ, ତା’ହେଲେ ଦଳର ନିର୍ବାଚନୀ ଇସ୍ତାହାରକୁ ପ୍ରଥମ କ୍ୟାବିନେଟ ବୈଠକର ଦସ୍ତାବିଜ ଭାବେ ବ୍ୟବହାର କରିବ। ଏଥିରେ ଦିଆଯାଇଥିବା ପ୍ରତିଶ୍ରୃତିକୁ କାର୍ଯ୍ୟକାରୀ କରିବାକୁ କ୍ୟାବିନେଟରେ ମୋହର ଲଗାଯିବ।

ନରେନ୍ଦ୍ର ମୋଦି ଷ୍ଟାଡିୟମର ନାଁ ବଦଳିବା ସହ ଭୋଟରଙ୍କୁ ଆକୃଷ୍ଟ କରିବାକୁ କଂଗ୍ରେସ ଅନେକ ବଡ଼ ବଡ଼ ପ୍ରତିଶ୍ରୃତି ଦେଇଛି। ଦଳ କ୍ଷମତାକୁ ଆସିଲେ ରାଜ୍ୟରେ ରହୁଥିବା ସବୁ ଗୁଜରାଟୀଙ୍କୁ ୧୦ ଲକ୍ଷ ଚାକିରି ଦେବ। ସରକାରୀ ଚାକିରିରେ ମହିଳାଙ୍କ ପାଇଁ ୫୦% ସଂରକ୍ଷଣ ଓ ସିଙ୍ଗଲ ମହିଳା, ବିଧବା ଓ ବୃଦ୍ଧାଙ୍କୁ ମାସିକ ୨ ହଜାର ଟଙ୍କା ଲେଖାଏଁ ମିଳିବ।

ରାଜ୍ୟରେ କଂଗ୍ରେସ ସରକାର ଗଠନ କଲେ ୩ ହଜାର ଇଂରାଜୀ ମିଡିୟମ ସ୍କୁଲ ଖୋଲିବ ଓ ପୋଷ୍ଟ ଗ୍ରାଜ୍ୟୁଏଟ ଯାଏ ଝିଅମାନଙ୍କୁ ମାଗଣାରେ ପାଠ ପଢ଼ିବାକୁ ସୁଯୋଗ ପାଇବେ। ୩ ଲକ୍ଷ ଯାଏଁ ଋଣ ଛାଡ଼, ୩୦୦ ୟୁନିଟ ଯାଏଁ ମାଗଣା ବିଜୁଳି, ଯୁବଗୋଷ୍ଠୀଙ୍କୁ ମାସିକ ୩ ହଜାର ଟଙ୍କା ଭତ୍ତା ଓ ଗ୍ୟାସ ସିଲିଣ୍ଡର ୫୦୦ ଟଙ୍କାରେ ଯୋଗାଇ ଦେବ ବୋଲି ଦଳ ପ୍ରତିଶ୍ରୃତି ଦେଇଛି।

ଗୁଜରାଟବାସୀଙ୍କୁ ମାଗଣା ୧୦ ଲକ୍ଷ ଟଙ୍କା ଯାଏ ଚିକିତ୍ସା, ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ୫ ଲକ୍ଷ ଟଙ୍କା ଯାଏ ମେଡିସନ କଂଗ୍ରେସ ମାଗଣାରେ ଯୋଗାଇ ଦେବ ବୋଲି କହିଛି। କରୋନା ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବ ବୋଲି ମଧ୍ୟ କଂଗ୍ରେସ ତା’ର ଇସ୍ତାହାରରେ ଉଲ୍ଲେଖ କରିଛି।

ଗୁଜରାଟରେ କ୍ଷମତାସୀନ ବିଜେପି ସରକାର ଦୁର୍ନୀତିରେ ଲିପ୍ତ ଥିବା ଶ୍ରୀ ଗେହଲଟ ଅଭିଯୋଗ କରିଛନ୍ତି। ଏଥିସହ ଯଦି କଂଗ୍ରେସ କ୍ଷମତାକୁ ଆସିବ, ତା’ହେଲେ ୨୭ ବର୍ଷ ମଧ୍ୟରେ ଆସିଥିବା ସମସ୍ତ ଦୁର୍ନୀତି ଅଭିଯୋଗର ତଦନ୍ତ କରାଯିବ ଓ ଦୋଷୀଙ୍କୁ ଦଣ୍ଡ ଦିଆଯିବ ବୋଲି ଗେହଲଟ କହିଛନ୍ତି।

Show More

Related Articles

Back to top button